ଖୋର୍ଦ୍ଧା ଜିଲ୍ଲାର ୭୪ ପ୍ରତିଶତ ଗାଁ କରୋନାରୁ ସୁରକ୍ଷିତ: ଜିଲ୍ଲାପାଳ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୭୪ ପ୍ରତିଶତ ଗାଁ କରୋନାରୁ ଏବେ ସୁରକ୍ଷିତ ଅଛି। ଏହି ଗାଁଗୁଡ଼ିକରେ ୧୪ ଦିନ ଭିତରେ କୌଣସି ପଜିଟିଭ ବାହାରି ନାହିଁ। ରେଡ ବର୍ଗରେ ଥିବା ଗାଁ ଗୁଡ଼ିକୁ ଗ୍ରୀନ ବର୍ଗକୁ ଆଣିବା ପାଇଁ ଉଦ୍ୟମ ହୋଇଛି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ଏହା କହିଛନ୍ତି।

ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୪୦ ହଜାର ୯୭୫ କରୋନା ନମୁନା ପରୀକ୍ଷା ହୋଇଛି। ଏଥିରୁ ୩୫ ହଜାର ୪୪୯ ନେଗେଟିଭ ରିପୋର୍ଟ ଆସିଛି। କିନ୍ତୁ ୩୪୩୬ ପଜିଟିଭ ଅଛି। ବିଏମ୍‌ସିକୁ ଛାଡ଼ି ୩୪ ଭାଗ ଗ୍ରାମାଂଚଳରେ ପଜିଟିଭ ରହିଛି। ଅର୍ଥାତ ଜିଲ୍ଲାର ଗ୍ରାମାଂଚଳରେ ମୋଟ ୧୪୨୩ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ୫୯ ପ୍ରତିଶତ ସୁସ୍ଥ ହୋଇଛି। ଜିଲ୍ଲାରେ ପରିସ୍ଥିତି ସୁଧୁରୁଛି। ୨୩୭ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୯ ଜଣ ସୁସ୍ଥ ହୋଇଛନ୍ତି। ଜଣେ କୋଭିଡ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ଗ୍ରାମାଂଚଳରେ ମୋଟ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଜିଲ୍ଲାପାଳ କହିଛନ୍ତି, ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ବୋଲଗଡ଼ରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାକୁ ମୋଟ ୧୭ ହଜାର ୪୦୫ ଜଣ ପ୍ରବାସୀ ଫେରିଛନ୍ତି। କେବଳ ୭୭ ଭାଗ ଏହି ଅଚଂଳକୁ ଆସିଛନ୍ତି। ଏହ ଅଂଚଳ ବ୍ୟବସାୟିକ ସ୍ଥଳ ହୋଇଥିବାରୁ ବାହାର ଜିଲ୍ଲାରୁ ଲୋକ ଆସୁଛନ୍ତି। ଅଷ୍ଟେ ପ୍ରଥମ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ଧୀରେ ଧୀରେ ଧୀରେ କମୁଛି। ମାଛ ବ୍ୟବସାୟୀ, ପରିବା ବ୍ୟବସାୟୀଙ୍କୁ ଅଲଗା ବସିବାକୁ କୁହାଯାଇଛି। ବାହାର ଲୋକଙ୍କର ନମୁନା ପରୀକ୍ଷା କରାଯାଉଛି।

ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ଚିହ୍ନଟ କରିପାରିଲେ ସଂକ୍ରମଣ ରୋକାଯାଇପାରିବ। ପୂର୍ବ ତୁଳନାରେ ଏବେ ୩ ଗୁଣ ଟେଷ୍ଟିଂ ହେଉଛି। ଦିନକୁ ପ୍ରାୟ ୧୫୦୦ ଟେଷ୍ଟିଂ କରାଯାଉଛି। ଗର୍ଭବତୀ, ବୟସ୍କ ଓ ରୋଗୀଙ୍କୁ ଆଗ ଚିହ୍ନଟ କରାଯାଇ ନମୁନା ସଂଗ୍ରହ କରାଯାଉଛି। ପ୍ରବାସୀ ଓଡ଼ିଆ ସଂଗରୋଧରେ ରହି ସୁସ୍ଥ ହେଉଛନ୍ତି। କରୋନା ସେବକ ଭାବେ କାମ କରୁଛନ୍ତି ପୂର୍ବରୁ ଚିହ୍ନଟ ଆକ୍ରାନ୍ତ। ଯାହାର ଲକ୍ଷଣ ନାହିଁ, ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି। ଜିଲ୍ଲାରେ ଏବେ ୫୩୦ ଜଣ ଆକ୍ରାନ୍ତ ହୋମ୍‌ ଆଇସୋଲେସନରେ ଅଛନ୍ତି।

ଭିତ୍ତିଭୂମି ନେଇ ଜିଲ୍ଲାପାଳ କହିଛନ୍ତି ୨୨ଟି ମେଡିକାଲ ଟିମ ଏବେ କରୋନା ପାଇଁ ଲାଗିଛନ୍ତି। ଅଗଷ୍ଟ ଆରମ୍ଭରୁ ଏହା ୧୧ ଥିଲା। ୨୩୦ ଜଣ ଡାକ୍ତର କାମ କରୁଛନ୍ତି। ସେହିଭଳି ୬୦ ଜଣ ପୋଷ୍ଟ ପିଜି ଓ ପିଜି ଡାକ୍ତର, ୧୦୦ ଜଣ ଏଏନ୍‌ଏମ୍‌ ଅଛନ୍ତି। ଗ୍ରାମାଂଚଳରେ ୩ଟି କୋଭିଡ କେୟାର ସେଣ୍ଟର ଖୋଲିଛୁ। ଗ୍ରାମାଂଚଳରେ ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ପରିମାଣରେ ବେଡ ଅଛି।

ସମ୍ବନ୍ଧିତ ଖବର