ରାୟଗଡା: ରାୟଗଡା ପୁଲିସକୁ ପୁଣି ମିଳିଛି ସଫଳତା। ଚାରା ବୋଝେଇ ଟ୍ରକରୁ ଗଂଜେଇ ଜବତ କରିବା ସହ ଜଣେ ଆସାମୀକୁ ଗିରଫ କରିଛି ପଦ୍ମପୁର ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ପୁଲିସ କେନ୍ଦୁଗୁଡା ଆଉଟପୋଷ୍ଟ ନିକଟରେ ପେଟ୍ରୋଲିଂ କରୁଥିଲେ। ଟ୍ରକ ନମ୍ବର ସିଜି-୪-ଏମୟୁ-୩୫୬୭ ଗଜପତି ଜିଲ୍ଲାର ଅଡବାରୁ କ୍ଷୀପ୍ର ଗତିରେ ଆସୁଥିବା ଦେଖିବା ପରେ ତାକୁ ଅଟକାଇ ଯାଞ୍ଚ କରାଯାଇଥିଲା।ଏହି ଟ୍ରକରେ ୧୨୦ ପ୍ୟାକେଟ ଚାରା ରହିଥିବା ପୁଲିସ ଦେଖିଥିଲା। ପରେ ଅଧିକା ତଦନ୍ତ କରିବା ପରେ ସେଥିରେ ୨୫ଟି ଜରି ବ୍ୟାଗରେ ଗଂଜେଇ ଲଦା ହୋଇଥିବା ଜାଣିବାକୁ ପାଇଥିଲା। ତୁରନ୍ତ ଟ୍ରକକୁ ଜବତ କରିବା ସହ ଗଂଜେଇ ଚାଲାଣ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଥିଲା। ଆସାମୀ ଜଣକ ହେଲେ ଇନସାଫ ଅଲ୍ଲି ଖାନ(୩୨)। ଇସଲାମର ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି। ଅଡବାର ସଂଜୀବ ଶବରଙ୍କ ଠାରୁ ସେ ଏହି ଗଂଜେଇ ଆଣୁଥିବା ସ୍ବୀକାର କରିଛି।

Advertisment

publive-image

ଆଉ ଏହି ଗଂଜେଇକୁ ମଧ୍ୟପ୍ରଦେଶର କୈଲାରସ ଗ୍ରାମର ରାଜକ ଖାନା ଅରଫ ଯୁସୁଫ ଭାଇ ନିକଟକୁ ପହଞ୍ଚାଇଥାନ୍ତା। ଏହି ୨୫ ବ୍ୟାଗରେ ରହିଥିବା ଗଂଜେଇର ଓଜନ ୭୫୦ କିଲୋ ବୋଲି ପୁଲିସ କହିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ।ପୁଲିସ ଗଂଜେଇ ସହ ୩ଟି ମୋବାଇଲ, ଟ୍ରକ, ୧୨୦ ପ୍ୟାକେଟ ଗାଈ ଚାରା ମଧ୍ୟ ଜବତ କରିଛି। ଏହି ଗଂଜେଇ ଚାଲାଣ ଆହୁରି କେତେ ଦୂର ଲମ୍ବିଛି ଏହାର ତଦନ୍ତ କରୁଛି। ଏହି ଘଟଣାରେ ସାମିଲ ଥିବା ସମସ୍ତ ଗଂଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।