ବାସୁଦେବପୁର : ଚତୁର୍ଥ ପର୍ଯ୍ୟାୟରେ ୭୬% ମତଦାନ , ପ୍ରିଜାଇଡିଂ ଅଫିସରଙ୍କୁ ମାଡ

ଭଦ୍ରକ/ବାସୁଦେବପୁର : ଭଦ୍ରକ, ବନ୍ତ, ଚାନ୍ଦବାଲି, ଭଣ୍ଡାରିପୋଖରୀ, ତିହିଡି ବ୍ଲକରେ ମତଦାନ ଶେଷ ‌ ହୋଇଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟାୟରେ ବାସୁଦେବପୁର ବ୍ଲକରେ ମତଦାନ ‌ଶେଷ ହୋଇଛି। ଆଜି ବ୍ଲକରେ ମୋଟ ୭୬ ପ୍ରତିଶତ ମତଦାନ କରାଯାଇଥିବା ସୂଚନା ମିଳିଛି। ମତଦାନ ଶେଷହେବା ପରେ ବାସୁଦେବପୁରର କୁମାରପୁର ଗ୍ରାମର ୧୦ ନମ୍ବର ବୁଥରେ ଭୋଟ ଦାନ ଶେଷ ହେବା ପରେ ପୁଲିଂ ପାର୍ଟି ନେଉଥିବା ଭୋଟ ବାକ୍ସର ସିଲ୍ ଖୋଲା ଥିଲା। ଏଭଳି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ସହ ଅଟକ ରଖିଛନ୍ତି।

ଏହି ବ୍ଲକର ୫ଟି ଜିଲ୍ଲା ପରିଷଦ ଜୋନ୍ -୧୭, ୧୮, ୧୯, ୨୦,୨୧ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୩୬ଟି ପଞ୍ଚାୟତ ଓ ୪୮୫ଟି ୱା‌ର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧ ଲକ୍ଷ ୮୮ ହଜାର ୪୧୩ ଜଣ ଭୋଟର ୪୮୫ ଟି ବୁଥ୍ ରେ ମତଦାନ କରିଥିଲେ । ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତା ୨୪ ତାରିଖରେ ଧାମମନଗର ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାଠାରୁ ପୁଲିଂ ପାର୍ଟିଙ୍କୁ ବିଭିନ୍ନ ବୁଥକୁ ପଠାଯାଇଛି। ଆସନ୍ତାକାଲି ୨୩ ତାରିଖ ସଂଧ୍ୟା ସୁଦ୍ଧା ଧାମନଗର ବ୍ଲକର ମୋଟ ୪୦୫ ଟି ବୁଥ୍ ରେ ପୁଲିଂ ପାର୍ଟି ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପଞ୍ଚମ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ୟାୟରେ ହେଉଥିବା ଏଇ ନିର୍ବାଚନରେ ମୋଟ ୪ ଟି ଜିଲ୍ଲା ପରିଷଦ ଜୋନ୍ -୧୦-ଧାମନଗର, ୧୧ – ଦୋବଲ ,୧୨ -ଅସୁରାଳି ଓ ୧୩ – ଧୁଷୁରୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଇ ବ୍ଲକରେ ୩୧ ପଞ୍ଚାୟତ ଓ ୪୦୫ ଟି ୱାର୍ଡ ପାଇଁ ମଧ୍ୟ ନିର୍ବାଚନ ହେବ। ୪୦୫ ବୁଥ୍ ମଧ୍ୟରୁ ୬୧ ଟି ବୁଥ୍ ସମ୍ବେଦନଶୀଳ ରହିଥିବା ବେଳେ ଏଇ ସବୁ ବୁଥ୍ ଉପରେ ପୁଲିସ ପକ୍ଷରୁ କଡା ନଜର ରଖାଯିବା ନେଇ ଭଦ୍ରକ ଏସ. ପି. ଚରଣ ସିଂ ମୀନା ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ରକ୍ଷା କରିବା ଦାୟିତ୍ବରେ ଥିବା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାମନଗର ବ୍ଲକରେ ମୋଟ ୧ ଲକ୍ଷ ୫୫ ହଜାର ୬୮୫ ଜଣ ଭୋଟର ମତଦାନ କରିବେ।

ସମ୍ବନ୍ଧିତ ଖବର