ନାରାୟଣପାଟଣା ବ୍ଲକରେ ୭୭ ପ୍ରତିଶତ ମତଦାନ 

ବୁଥରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଡିଓଙ୍କ ନାଲି ଆଖି, ସନ୍ଧ୍ୟାରେ କ୍ଷମା ମାଗିଲେ
ନାରାୟଣପାଟଣା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସଂପନ୍ନ ହୋଇଛି। ଆଜି ବ୍ଲକରେ ମୋଟ ୩୦ହଜାର ୩୭୬ ଭୋଟର ମଧ୍ୟରୁ ୨୩ହଜାର ୪୬୮ଜଣ ଭୋଟର ମତଦାନ କରିଛନ୍ତି। ଯାହାକି ୭୭.୨୬ପ୍ରତିଶତ ବୋଲି ସୂଚନା ମିଳିଛି।

ଆଜି ସକାଳ ୭ଟାରୁ ଭୋଟରମାନେ ନିଜ ନିଜ ବୁଥକୁ ଯାଇ ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ। ଭୋଟଗ୍ରହଣ ପ୍ରକ୍ରିୟା ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ମତଦାନରେ ନାରାୟଣପାଟଣା ବ୍ଲକର ସମସ୍ତ ୯ଟି ପଞ୍ଚାୟତରେ ମୋଟ ୭୭.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ୩ନଂ ଵାର୍ଡର ଝୋଡ଼ିପଦର ବୁଥରେ ସର୍ବାଧିକ ୯୮.୮୩ ପ୍ରତିଶତ ଏବଂ ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ୭ନଂ ଵାର୍ଡର କାରିଡ଼ିପଦର ବୁଥରେ ୯୮.୧୪ ପ୍ରତିଶତ ମତଦାନ ହୋଇଥିଲା ବେଳେ ନାରାୟଣପାଟଣା ସଦର ମହକୁମାର ୭ନଂ ଵାର୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥରେ ୫୬.୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ପାର୍ଟି ବୁଥକୁ ଯିବା ପାଇଁ ଏବଂ ସେକ୍ଟର ଅଫିସରମାନେ ତଦାରଖ କରିବା ପାଇଁ ମୋଟ ୯୫ଟି ଗାଡ଼ି ନିୟୋଜିତ କରାଯାଇଥିଲା। ସେହିପରି ଭୋଟ ଗ୍ରହଣ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ମୋଟ ୨୨ ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଥିଲା। ପୋଲିଂ ପାର୍ଟି ଠାରୁ ଭୋଟ ବାକ୍ସ ଆଦି ଗ୍ରହଣ କରିବାକୁ ମୋଟ ୯ଟି ପଞ୍ଚାୟତ ପାଇଁ ୯ଟି କାଉଣ୍ଟର ଖୋଲାଯାଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ବୁଥରୁ ପୋଲିଂ ପାର୍ଟି ଭୋଟ ବାକ୍ସ ଧରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଜମା କରିଥିଲେ। ଭୋଟ ବାକ୍ସ ଗ୍ରହଣ କାର୍ଯ୍ୟରେ ନିୟୋଜିତ ଦଳକୁ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ କିରାଣି ପଞ୍ଚାନନ ବେହେରା, କ୍ୟାସିଅର ଏମ୍.କାଳିପ୍ରସାଦ ପଟ୍ଟନାୟକ, ବିଜାଘାଟି ସେକ୍ଟର ଅଫିସର ଏସ୍.କିଶାନ କୁମାର, ଗାଡ଼ି ପରିଚାଳନା ଦାୟିତ୍ବରେ ସହକାରୀ ଯନ୍ତ୍ରୀ ସୁଶାନ୍ତ ମହାଲିକ ଏବଂ ଖାଦ୍ୟ ଯୋଗାଣ ଦାୟିତ୍ବରେ ପିଇଓ ରମେଶ ଚନ୍ଦ୍ର ତୁଳ ନିୟୋଜିତ ହୋଇଥିଲା ବେଳେ ଅନ୍ୟମାନେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକୁ ବିଡିଓ ଯଦୁମଣି ନାୟକ ପରିଚାଳନା କରିଥିଲେ। ଅପରପକ୍ଷରେ ଆଜି ସକାଳ ପ୍ରାୟ ୮ଟା ବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ନାରାୟଣପାଟଣା ସଦର ମହକୁମା ବୁଥରେ ଭୋଟର ମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିବା ସମୟରେ ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡିଓ ଯଦୁମଣି ନାୟକ ସଂପୃକ୍ତ ପ୍ରତିନିଧିଙ୍କୁ ଫଟୋ ଉତ୍ତୋଳନ କରିବା ପାଇଁ ବାରଣ କରିବା ସହ ନାଲି ଆଖି ଦେଖାଇଥିଲେ। ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ତେବେ ବିଡିଓ ଶ୍ରୀ ନାୟକ ନିର୍ବାଚନ ଶେଷ ହେବା ପରେ ଆଜି ସନ୍ଧ୍ୟାରେ ହିଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ନିଜର ଭୁଲ ସ୍ବୀକାର କରି କ୍ଷମା ମାଗିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର