ସୁନ୍ଦରଗଡ଼ : ଗ୍ରାମାଞ୍ଚଳର ଶ୍ରମିକଙ୍କ ହାତକୁ କାମ ଓ ଠିକ୍ ସମୟରେ ଉପଯୁକ୍ତ ମଜୁରି ପ୍ରଦାନ ପାଇଁ ଦେଶରେ କାର୍ଯ୍ୟକାରୀ ହେଉଛି ବିଶ୍ବର ସର୍ବ ବୃହତ ଶ୍ରମଭିତ୍ତିକ ଯୋଜନା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା। ଶ୍ରମିକଙ୍କୁ ଗାଁରେ ହାତ ପାଅନ୍ତାରେ ରୋଜଗାର ଯୋଗାଇ ଦାଦନ ଚାଲାଣ ରୋକିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। କିନ୍ତୁ ଅସାଧୁ ସରକାରୀ ବାବୁ ଏଥିରୁ ବି ବାଟମାରଣା କରି ଯୋଜନାକୁ ବାଟବଣା କରୁଛନ୍ତି। ଦାଦନ ଚାଲାଣକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲାରେ ମନରେଗାରୁ ବାବୁମାନେ ପ୍ରାୟ ୭୭ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ୨୦୧୭-୧୮ରୁ ୨୦୧୯-୨୦ ୩ ବର୍ଷରେ ଏହି ପରିମାଣର ଅର୍ଥ ବାବୁମାନଙ୍କ ପକେଟକୁ ଯାଇଥିବା ସାମାଜିକ ସମୀକ୍ଷାରୁ ଜଣାପଡ଼ିଛି। ତେବେ ବିଡ଼ମ୍ବନାର କଥା ହେଲା, ଏସବୁ ଅର୍ଥ ଦାୟୀ କର୍ମଚାରୀଙ୍କ ଠାରୁ ଭରଣା କରିବାକୁ ଗତ ବର୍ଷ ଜାନୁଆରିରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାଏ ତାକୁ ଜିଲ୍ଲା ପ୍ରଶାସନ ଫାଇଲ ଭିତରେ ପକାଇ ରଖିଛି। ଅନ୍ୟପଟେ ଏହା ମଧ୍ୟରେ କିଛି ବିଭାଗ ପ୍ରକଳ୍ପ କାମ ଶେଷ କରିଥିବାର ରିପୋର୍ଟ ଦାଖଲ କରିଛନ୍ତି। ତେବେ ହଡ଼ପ ଅର୍ଥ ଭରଣା ନିର୍ଦ୍ଦେଶ ଆସିବା ପରେ ଏ ପ୍ରକାର ରିପୋର୍ଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ତଥ୍ୟାନୁସାରେ, ବାଲିଶଙ୍କରା ବ୍ଲକର ଦେଓଭୂବନପୁର ପଞ୍ଚାୟତରେ ୨.୨୫ ଲକ୍ଷ, ତିଲଡେଗାରେ ୧.୧୩ ଲକ୍ଷ, ବାଲିଶଙ୍କରାରେ ୧୮୨୦ ଟଙ୍କା, ବନଡେଗାରେ ୧୪୫୬ ଟଙ୍କା, ଅନ୍ଧାବାହାଲରେ ୨୧୮୪, ବେହେରାଡିହିରେ ୪୯୧୪, କିଞ୍ଜିରକେଲାରେ ୧.୬୫ ଲକ୍ଷ, ଶାଗବାହାଲରେ ୬୭୩୪, ସଉନାମରାରେ ୧.୭୨ ଲକ୍ଷ, ତିଲେଡେଗାରେ ୮ ହଜାର, ତୁମଲିଆରେ ୧୪୮୨୮ ମନରେଗା ଟଙ୍କା ବାଟମାରଣା କରାଯାଇଛି। ସେହିପରି ବଡ଼ଗାଁ ବ୍ଲକର ରୁନଗାଁ ପଞ୍ଚାୟତରେ ୧.୩୯ ଲକ୍ଷ, ସାହାଜବାହାଲରେ ୮୭୩୬, ତୁଡ଼ାଲଗାରେ ୨.୨୭ ଲକ୍ଷ, ଗୁରୁଣ୍ଡିଆ ବ୍ଲକର ସୋଲ ପଞ୍ଚାୟତରେ ୨୫ ହଜାର, ନରେନ୍ଦ୍ରରେ ୬.୨୦ ଲକ୍ଷ, କୁତ୍ରା ବ୍ଲକର ଆମ୍ବଗୋଭା ପଞ୍ଚାୟତରେ ୧୦.୬୭ ଲକ୍ଷ, ଜ୍ଞାନପାଲିରେ ୪୯ ହଜାର, କୁତ୍ରାରେ ୮୫୨ ଟଙ୍କା, ତରକେରାରେ ୧.୨୬ ଲକ୍ଷ, ତୁନମୁରରେ ୩ ହଜାର ଟଙ୍କା ବାବୁମାନଙ୍କ ପକେଟରେ ପଶିଛି। ସବଡେଗା ବ୍ଲକ୍ କିରାଲଗା ପଞ୍ଚାୟତରେ ୨୯୫୬୮ ଟଙ୍କା, ହମିରପୁରରେ ୧୨.୫୦ ଲକ୍ଷ, ସୁନ୍ଦରଗଡ଼ ବ୍ଲକର ସାଲେପାଲି ପଞ୍ଚାୟତରେ ୫.୨୫ ଲକ୍ଷ, କର୍ଲା ପଞ୍ଚାୟତରେ ୮.୩୨ ଲକ୍ଷ, ମଝାପଡ଼ାରେ ୩.୪୮ ଲକ୍ଷ, ବଣାଇଁଗଡ଼ ବ୍ଲକର କେନ୍ଦ୍ରିକେଲା ପଞ୍ଚାୟତରେ ୬୧୬୦୦ ଟଙ୍କା, କେନାଭଟାରେ ୫.୨୫ ଲକ୍ଷ, ବଡ଼ଗୁଗୁଆରେ ୫୪୭୮୨, ବନେଇକେଲାରେ ୬୫୭୧୮, ଭାଲୁପାନିରେ ୬.୫୫ ଲକ୍ଷ, କସଡାରେ ୯୪୨୬, କେନାଭଟାରେ ୬୬୨୪୮, ରୁଗୁଡ଼ାରେ ୨୪୯୩୪, ହେମଗିର ବ୍ଲକ କେନ୍ଦୁଡିହି ପଞ୍ଚାୟତରେ ୯୩ ହଜାର, ଲହୁଣିପଡ଼ା ବ୍ଲକର ଦାର୍ଜିଂରେ ୬୪୦୬୪, ଫୁଲଝରରେ ୪୨୨୨୪, ହଲଦିକୁଦରରେ ୩୪୫୮୦, କଲେଇପୋଷରେ ୮୭୪୨, କୁରଡାରେ ୧୯୬୫୬, ରଜାମୁଣ୍ଡାରେ ୧.୧୭ ଲକ୍ଷ, ଲାଠିକଟା ବ୍ଲକର ବଡ଼ଦଲକି ପଞ୍ଚାୟତରେ ୧.୨୦ ଲକ୍ଷ, ବିରିଡାରେ ୫.୩୬ ଲକ୍ଷ, ବିରକେରାରେ ୫ ହଜାର, ଜଡ଼ାକୁଦରରେ ୨୯୧୨୦ ଟଙ୍କା ହଡ଼ପ କରାଯାଇଛି।
ସୁନ୍ଦରଗଡ଼ରେ ମନରେଗାର ୭୭ ଲକ୍ଷ ଟଙ୍କା ବାଟମାରଣା, ବର୍ଷେ ପରେ ବି ଫାଇଲ ଭିତରେ ଭରଣା ନିର୍ଦ୍ଦେଶ
ଦାୟୀ କର୍ମଚାରୀଙ୍କୁ ପ୍ରଶାସନର ଅନୁକମ୍ପା
/sambad/media/post_attachments/wp-content/uploads/2017/12/mgnrega.jpg)