ମାଲକାନଗିରି ଜିଲ୍ଲାରେ ୧୩୩ଟି ସ୍କୁଲରେ ମୋଟ ୭୮୨୮ଟି ଶିକ୍ଷା ଦର୍ପଣ ବଣ୍ଟନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମୋଟ ୧୩୩ଟି ହାଇସ୍କୁଲରେ ୭୮୨୮ଟି ଶିକ୍ଷା ଦର୍ପଣ ବହି ମାଗଣାରେ ବଣ୍ଟନ କରାଯାଇଛି। ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷା ଦର୍ପଣ ବହି ପହଞ୍ଚିବା ପରେ ତୁରନ୍ତ ପ୍ରଥମ ପର୍ଯ୍ୟାୟରେ ସ୍ବାଭିମାନ ଅଂଚଳର ପେପରମେଟଲା, ବଡଡୁରାଲ, ବଡପଡା, ପଣସପୁଟ ଭଳି ପଞ୍ଚାୟତରେ ରହିଥିବା ହାଇସ୍କୁଲ ଗୁଡିକର ପିଲାଙ୍କୁ ପ୍ରଦାନ କରାଯାଇଛି। ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ମାଲକାନଗିରିର ସରକାରୀ ହାଇସ୍କୁଲ ସମେତ ଏମଭି- ୭ ସ୍ଥିତ ଜଗନ୍ନାଥପାଲ୍ଲୀ ହାଇସ୍କୁଲ ପରିଦର୍ଶନ କରି ଏହି ବହି ବଣ୍ଟନ କରିଥିଲେ। ଆଜି ଗୋଟିଏ ଦିନରେ ୪ ହଜାର ବହି ବଣ୍ଟନ କରାଯାଇଥିବା ଜଣାପଡିଛି।

ଆସନ୍ତାକାଲି ଆଉ ବଳକା ବହି ବଣ୍ଟନ କରାଯିବ ବୋଲି ଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ତେବେ ଜିଲ୍ଲାରେ ରହିଥିବା ଗଣଶିକ୍ଷା ବିଭାଗର ୧୦୫ଟି ସ୍କୁଲ, ଆଦିବାସୀ ଉନ୍ନୟନ ସଂସ୍ଥାର ୨୯ଟି ସ୍କୁଲ ଏବଂ ୪ଟି ଘରୋଇ ସ୍କୁଲକୁ ବହି ବଣ୍ଟନ କରାଯିବାର କାର୍ୟ୍ୟକ୍ରମ ରହିଛି। ଏହି ସ୍କୁଲରେ କେବଳ ୧୦ମ ଶ୍ରେଣୀର ପିଲାମାନେ ହିଁ ସ୍କୁଲକୁ ଆସି ପାଠ ପଢୁଛନ୍ତି। ଏମାନଙ୍କ ପାଇଁ ପାଠ ପଢାରେ ଯେପରି ବାଧା ସୃଷ୍ଟି ନହେବ ସେଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ବିଏସ୍ସିି, ବିଡି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଡେପ୍ୟୁଟେସନରେ ହାଇସ୍କୁଲ ଗୁଡିକକୁ ନିଆଯାଇଛି।

Sambad

ସେହିପରି ପ୍ରତି ହାଇସ୍କୁଲରେ ପିଲାମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବେ। ମୁହଁରେ ମାସ୍କ ପରିଧାନ କରିବେ ଏବଂ ପ୍ରତ୍ୟେକ ଶ୍ରେଣୀରେ ମୋଟ ୨୫ ଜଣ ହିଁ ପିଲା ବସିବେ ସେନେଇ ସବୁ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଇଛି। ମୋଟ୍‌ ୧୧୦ ଦିନ ପିଲା ପାଠ ପଢିବାକୁ ଥିବା ବେଳେ ମାତ୍ର ୧୦ ଦିନ ଛୁଟି ରହିବ। ବାକି ଶହେ ଦିନ ପିଲା ପାଠ ପଢିବେ। ତେବେ ଦିଆଯାଇଥିବା ଶିକ୍ଷା ଦର୍ପଣରୁ ହିଁ ପ୍ରଶ୍ନ ଆସିବାର ଥିବା ବେଳେ ପିଲାମାନେ ଯଦି ଏହାକୁ ମନ ଦେଇ ପଢିବେ ତେବେ ପ୍ରାୟ ପିଲା ପାସ କରିଯିବେ ବୋଲି କୁହାଯାଇଛି। ଚଳିତ ବର୍ଷ କେବଳ ସତୁରି ପ୍ରତିଶତ ହିଁ ପାଠ ପଢାଯିବା ପାଇଁ କୁହାଯାଇଛି। କେଉଁ କେଉଁ ବିଷୟରେ ପାଠ କେଉଁ ପାଠ ପଢାଯିବା ଏହା ପୂର୍ବରୁ କୁହାଯାଇଛି। ତେଣୁ ପିଲାମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଂଚଳରେ ପିଲା ଏହି ଶିକ୍ଷା ଦର୍ପଣରୁ କେତେ ସଫଳ ହେବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର