ସରିଲା ପଞ୍ଚାୟତ ନିର୍ବାଚନ, ସୁନ୍ଦରଗଡ଼ ଜିଲ୍ଲାରେ ୭୯.୩୦% ମତଦାନ 

ମତଦାନ କଲେ ୧ ଲକ୍ଷ ୨୧ ହଜାର ୬୫୬ ଭୋଟର

ରାଉରକେଲା : ଆଜି ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ପଞ୍ଚମ ତଥା ‌ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ତିନିଟି ବ୍ଲକର ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୫୫୦ ୱାର୍ଡ ସଭ୍ୟଙ୍କ ପାଇଁ ମତଦାନ ହୋଇଛି। ତିନି ବ୍ଲକରେ ମୋଟ ୧ ଲକ୍ଷ ୫୩ ହଜାର ୩୩୦ ଭୋଟର ମଧ୍ୟରୁ ୧ ଲକ୍ଷ ୨୧ ହଜାର ୬୫୬ ‌ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଜିଲ୍ଲାର ତିନିଟି ବ୍ଲକରେ ମୋଟାମୋଟି ଭାବେ ୭୯.୩୦% ମତଦାନ ହୋଇଛି। କୌଣସି ବୁଥରେ ସେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ସୁନ୍ଦରଗଡ଼ ସଦର ବ୍ଲକରେ ୮୦.୧୪%, ଟାଙ୍ଗରପାଲିରେ ୮୦.୨୩% ଓ ଗୁରୁଣ୍ଡିଆ ବ୍ଲକରେ ୭୭.୫୨% ମତଦାନ ହୋଇଛି। ସୁନ୍ଦରଗଡ ସଦର ବ୍ଲକରେ ମୋଟ ୫୫, ୦୫୦ ଭୋଟରଙ୍କ ମଧ୍ୟରୁ ମତଦାନ କରିଛନ୍ତି ୪୪,୧୧୮ ଭୋଟର। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟର ଥିଲେ ୨୨ ହଜାର ୧୪୫, ମହିଳା ଭୋଟର ୨୧ ହଜାର୯୭୩। ଟାଙ୍ଗରପାଲି ବ୍ଲକରେ ମୋଟ ୪୯ ହଜାର ୮୬୨ ଭୋଟର ମଧ୍ୟରୁ ମତଦାନ କରିଛନ୍ତି ୪୦ ହଜାର ୩ ଭୋଟର। ଏମାନଙ୍କ ମଧ୍ୟରେ ୧୯ ହଜାର ୯୦୭ ଥିଲେ ପୁରୁଷ ଓ ୨୦ ହଜାର ୯୬ ଥିଲେ ମହିଳା ଭୋଟର। ସେମିତି ଗୁରୁଣ୍ଡିଆ ବ୍ଲକରେ ମୋଟ ୪୮ ହଜାର ୪୧୮ ଭୋଟରଙ୍କ ମଧ୍ୟରୁ ମତଦାନ କରିଛନ୍ତି ୩୭ ହଜାର ୫୩୫ ‌ଭୋଟର।

ଏମାନଙ୍କ ମଧ୍ୟରେ ୧୮ ହଜାର ୪୮୪ ଥିଲେ ପୁରୁଷ ଓ ୧୯ ହଜାର ୫୧ ଭୋଟର ଥିଲେ ମହିଳା। ଗୁରୁଣ୍ତିଆ ବ୍ଲକର ଦୁଇଟି ବୁଥରେ ସର୍ବାଧିକ ମତଦାନ ‌ହୋଇଛି। ଟାମ୍ପରକେଲା ପଂଚାୟତର ତୁମ୍ପ୍ରେଇ ୧୧ ନମ୍ବର ବୁଥରେ ୧୫୭ ଜଣ ମତଦାତାଙ୍କ ମଧ୍ୟରୁ ୧୫୬ ଭୋଟର ମତଦାନ କରିଛନ୍ତି। ସେହିପରି ଟାମ୍ପରକେଲାର ୨ ନମ୍ବର ବୁଥରେ ୧୮୧ ଜଣ ମତଦାତାଙ୍କ ମଧ୍ୟରୁ ୧୭୬ ଜଣ ଭୋଟର ମତଦାନ କରିଛନ୍ତି। ଗ୍ରାମର ଅନୁପସ୍ଥିତ ଥିବା ତଥା ମୃତକ ମତଦାତାଙ୍କ ନାମରେ ଜାଲଭୋଟ ପଡିଥିବା ଅଭିଯୋଗ ହୋଇଛି। ଏକ ନିଦ୍ଦିର୍ଷ୍ଟ ଦଳର ଜିଲାପରିଷଦ ପ୍ରାର୍ଥୀ ଏହି ଦୁଇଟି ବୁଥକୁ ଦଖଲ କରି ମତଦାନ କରିଥିବା ଅଭିଯୋଗ ହୋଇଛି। ମତଦାନ ପାଇଁ ତିନିଟି ବ୍ଲକରେ ମୋଟ ୫୫୦ ଟି ବୁଥ କରାଯାଇଥିଲା। ଗୁରୁଣ୍ଡିଆରେ ୧୫୭, ଟାଙ୍ଗରପାଲିରେ ୧୭୯ ଓ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୨୧୪ଟି ପୁଲିଂ ବୁଥ୍‌ କରାଯାଇଥିଲା। ଗୁରୁଣ୍ଡିଆରେ ୧୫୭ ବୁଥ୍‌ ମଧ୍ୟରୁ ୩୧ ବୁଥ୍‌ ସମ୍ବେଦନଶୀଳ ଓ ୧୬ଟି ବୁଥ ଅତି ସମ୍ବେଦନଶୀଳ ବୁଥ୍‌ ରହିଥିଲା। ଟାଙ୍ଗରପାଲିରେ ୯୮ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଥିଲା। ସୁନ୍ଦରଗଡ଼ ସଦରରେ ୮୯ ସମ୍ବେଦନଶୀଳ ଓ ୬୮ ଅତି ସମ୍ବେଦନଶୀଳ ବୁଥ୍‌ ରହିଥିଲା। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଟାଙ୍ଗରପାଲି ଜିଲ୍ଲା ପରିଷଦ (କ) ଜୋନ୍‌ରେ ୭ଟି ପଞ୍ଚାୟତ ଓ ୯୭ ୱାର୍ଡ ସଭ୍ୟ ପାଇଁ ମତଦାନ ହୋଇଛି। ଗୁରୁଣ୍ଡିଆ ବ୍ଲକ (କ) ଜିଲ୍ଲା ପରିଷଦ ‌ଜୋନ୍‌ରେ ୭ଟି ପଞ୍ଚାୟତ ଓ ୮୪ ୱାର୍ଡ ସଭ୍ୟ ପାଇଁ ମତଦାନ ହୋଇଛି। ସେମିତି (ଖ)ଜୋନ୍‌ ଅଧୀନରେ ୬ଟି ପଞ୍ଚାୟତ ଓ ୭୩ଟି ୱାର୍ଡ ମତଦାନ ହେଉଥିଲା। ଅନୁରୂପ ଭାବେ ସୁନ୍ଦରଗଡ଼ ସଦର ବ୍ଳକ (କ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ୯ଟି ପଞ୍ଚାୟତ ଓ ୧୨୫ଟି ୱାର୍ଡସଭ୍ୟ ପାଇଁ ମତଦାନ ହୋଇଛି। ସେପଟେ ଦିନକ ପରେ ଅର୍ଥାତ୍‌ ୨୬ରୁ ୨୮ ପର୍ଯ୍ୟନ୍ତ ହେବ ଭୋଟଗଣତି। ଜିଲ୍ଲାର ୧୭ଟି ବ୍ଲକରେ ମୁଖ୍ୟାଳୟରେ ଭୋଟ ଗ୍ରହଣ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଷ୍ଟ୍ରଙ୍ଗରୁମ୍‌ରେ ରହିଥିବା ଭୋଟବାସ୍କଗୁଡ଼ିକୁ କିଛି ବ୍ଲକରେ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ସମର୍ଥକ ଜଗି ରହିଛନ୍ତି। ଜିଲ୍ଲାର କିଛି ବ୍ଲକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର