ଗାରୋଇ: ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ୍‌ ଡାବର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ସୁଧୁରୁନି। ତତ୍କାଳୀନ ବିଧାୟକ ଉମେଶ ସ୍ବାଇଁଙ୍କ ଦ୍ବାରା ୨୩.୧୦.୨୦୧୧ରେ ୬ନଂ ୱାର୍ଡ ଡାବର ବେଲବଣ ଗ୍ରାମରେ ଗଭୀର ପାନୀୟ ଜଳପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପ୍ରକଳ୍ପ ନିର୍ମାଣ ହେଲା ସତ, କିନ୍ତୁ ଏକଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିରୁ ୪ଟି ୨୦୦ ଲିଟର କ୍ଷମତା ବିଶିଷ୍ଟ ଟାଙ୍କିକୁ ପାଣି ଠିକ୍ ଭାବେ ପହଁଞ୍ଚି ପାରିଲାନି। ପାଣି ଟାଙ୍କିକୁ ନଯାଇ ପାଇପ୍‌ ଯୋଗେ ସଂଯୋଗ ହୋଇଥିବା ଷ୍ଟାଣ୍ତ୍‌ପୋଷ୍ଟକୁ ଯୋଗାଣ ହୋଇଥିଲା। ମାସକରେ ଥରେ ଅଧେ ଚାଲୁଥିବା ଏହି ପ୍ରକଳ୍ପର ପାଣି ମାଟିରେ ମିଶିବା ଆରମ୍ଭ ହେଲା। ଗ୍ରାମାଞ୍ଚଳରୁ ଲୋକଙ୍କୁ ଜଳ ଯୋଗାଣ ପାଇଁ ସରକାର ବସୁଧା ଜଳ ଜୀବିକା ମିସନ ଆଦି ଯୋଜନା କରିଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ। ବ୍ଲକ୍‌ର ସର୍ବକନିଷ୍ଠ ଏହି ପଞ୍ଚାୟତରେ ସମାନ ସମୟରେ ୨ଟି ପ୍ରକଳ୍ପ ନିର୍ମାଣ ହୋଇଥିଲା। ଗୋଟିଏ ମୋହନାପାରି ଓ ଅନ୍ୟଟି ଡାବର ଠାରେ। କିନ୍ତୁ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ୨ଟି ଯାକ ଅଚଳ ହୋଇ ପଡ଼ି ରହିଛି। ଡାବର ପଞ୍ଚାୟତର ୮ଟି ୱାର୍ଡର ଜନସାଧାରଣଙ୍କୁ ଜଳ ଯୋଗାଇବା ପାଇଁ ନିର୍ମିତ ପ୍ରକଳ୍ପଟି କେବେଠାରୁ ବନ୍ଦ ହୋଇପଡିଛି। ଏହାର ଉତ୍ତର କାହା ପାଖରେ ନାହିଁ।

Advertisment

ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପୁଆ କହିଛନ୍ତି, ୩ମାସ ହେବ ପ୍ରକଳ୍ପଟି ବନ୍ଦ ହୋଇଛି। ବ୍ଲକ୍‌ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସ କହିଛନ୍ତି ୮ରୁ ୧୦ଦିନ ହେବ ବନ୍ଦ ହୋଇଛି। ପ୍ରକଳ୍ପର କିଛି ବକେୟା ବିଦ୍ୟୁତ୍ ବିଲ୍ ବାକିଥିଲା। ଯେଉଁ କାରଣରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଥିଲା। ଦିନେ ଦୁଇଦିନ ଭିତରେ ସମସ୍ୟାର ସମାଧାନ କରାଯିବ। କିନ୍ତୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ୨ବର୍ଷ ହେବ ପାଣି ଆସୁନାହିଁ। ଗୋଟିଏ ପଟେ ପ୍ରକଳ୍ପ ଅଚଳ ହୋଇଥିବା ବେଳେ ବିଦ୍ୟୁତ୍‌ ଦେୟ ବାବଦରେ କିପରି ଓ କେତେ ଟଙ୍କା ଆସୁଛି ତାହା ତଦନ୍ତସାପେକ୍ଷ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳର ପାଣି ଟାଙ୍କିକୁ ଚୂନ ଲଗାଇ ଚକ୍‌ଚକ୍ କରି ଏହା ୧୦୦୦ କ୍ଷମତା ଧାରଣର ସୁଉଚ୍ଚ ପାଣି ଟାଙ୍କି ଉଲ୍ଲେଖ କରିବା କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ଲୋକେ କଟାକ୍ଷ କରୁଛନ୍ତି। ଘରକୁ ଘର ପାନୀୟ ଜଳ ସଂଯୋଗ କେବେ ହେବ ପଞ୍ଚାୟତବାସୀ ଚାହିଁ ବସିଛନ୍ତି।