ପାନପୋଷ ରେଳଲାଇନ୍‌ ପାସ୍‌ୱେ ପାଇଁ ୮.୩୧ କୋଟି ମଞ୍ଜୁରି

ରାଉରକେଲା: ପାନପୋଷ ରେଳଲାଇନର ଉଭୟ ପାର୍ଶ୍ବକୁ ଯାତାୟତ ପାଇଁ ଥିବା ଗଳାବାଟକୁ ପରିବର୍ତ୍ତନ କରି ଏକ ଉଚ୍ଚ ଓ ଚଉଡା ଭୂତଳ ରାସ୍ତା ନିର୍ମାଣ କରିବାକୁ ବହୁ ବର୍ଷ ଧରି ଦାବି ହୋଇ ଆସୁଥିଲା। ରେଳବାଇ ପକ୍ଷରୁ ଏ ଦିଗରେ ‌ଆଦୌ ଧ୍ୟାନ ଦିଆଯାଉ ନଥିଲା। ଫଳରେ ଉଭୟ ପାର୍ଶ୍ବରୁ ଭାରି ଯାନବାହନ ଯାତୟତ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସହରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏ ସଂକ୍ରାନ୍ତରେ ଚକ୍ରଧରପୁର ଠାରେ ରେଳବାଇ ଡିଭିଜନ କମିଟି ବୈଠକରେ ଶ୍ରୀ ଓରାମଙ୍କ ପ୍ରତିନିଧି ଚେତନଦୀପ୍ତ ନାୟକ ପାସ୍‌ୱେ ନିର୍ମାଣ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଏହି ପାସ୍‌ୱେର ଗୁରୁତ୍ବକୁ ଉପଲବ୍‌ଧି କରି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଗତ ଜୁନ୍‌ରେ ସାଂସଦ ଓରାମଙ୍କୁ ପତ୍ର ଲେଖି ୮ କୋଟି ୩୧ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାଇଛନ୍ତି। ରେଳବାଇ ତରଫରୁ ଟେଣ୍ଡର ପାଇଁ ନୋଟିସ୍ କରାଯାଇଛି। ଫଳରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ହୋଇପାରିନଥିବା ପାନପୋଷ ‌ ରେଳ ଲାଇନ ପାସ୍‌ୱେର କାର୍ଯ୍ୟ ହେବାର ନିଶ୍ଚିତ ହୋଇଯାଇଛି। ଏଥିପାଇଁ ବିଜେପି ଓ ରାଉରକେଲାବାସୀଙ୍କ ତରଫରୁ ସାଂସଦ ଶ୍ରୀ ଓରାମ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ପାନପୋଷ ଷ୍ଟେସନରୁ ଅପରପାର୍ଶ୍ବକୁ ଯିବାକୁ ଥିବା ରେଳୱେ ସୁଡଙ୍ଗ ଅତି ନୀଚ ଓ ଚଉଡା ଥିବାରୁ ବଡ ଆମ୍ବୁଲାନ୍ସ ଗାଡି ଓ ଅଗ୍ନିଶମ ଗାଡି ଯାତାୟତ କରି ପାରୁ ନଥିଲା। ଷ୍ଟେସନ ଅପରପାର୍ଶ୍ବରେ ପାନପୋଷ ଉପଖଣ୍ଡୀୟ ହସ୍ପିଟାଲ ଥିବାରୁ ଏହି ପାସ୍‌ୱେ ଉଚ୍ଚ ଓ ଚଉଡା ହେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା।

ସମ୍ବନ୍ଧିତ ଖବର