କନ୍ଧମାଳରୁ ବୌଦ୍ଧକୁ ହେଉଥିଲା ଚାଲାଣ: ୮.୫୦ କ୍ବିଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

ପୁଲିସକୁ ଚକମା ଦେଇ ଦୌଡି ଫେରାର ହେଲେ ୯ ମାଫିଆ

ଫୁଲବାଣୀ: କରୋନା ମହାମାରୀକୁ ନେଇ ଲୋକ ତ୍ରାହିତ୍ରାହି ଡାକୁଛନ୍ତି। କଟକଣା ଭିତରେ ଘାଣ୍ଟି ହୋଇ କେହି ବି ପଦାକୁ ବାହାରି ପାରୁ ନାହାନ୍ତି। ହେଲେ ଗଂଜେଇ ମାଫିଆଙ୍କୁ କରୋନା ଭୟ ନାହିଁ। ଯେ କୌଣସି ଉପାୟରେ ଗଂଜେଇ ଚାଲାଣ କରିବାକୁ ଲାଗି ପଡିଛନ୍ତି। କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କେନ୍ଦୁଗୁଡା ଘାଟି ନିକଟ ଜଣଙ୍କ ଘରେ ବିପୁଳ ପରିମାଣର ଗଂଜେଇ ମହଜୁଦ ରହିଛି। ତାକୁ ବୌଦ୍ଧକୁ ଚାଲାଣ ପାଇଁ ଉଦ୍ୟମ ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶମତେ ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ ପ୍ରମୁଖ ସଦଳବଳେ ନରୋତ୍ତମ ପଲାଇଙ୍କ ଘରେ ଚଢାଉ କରିଥିଲେ।

ଚଢାଉରେ ସମୟରେତାଙ୍କ ଘରୁ ୮ କ୍ବିଣ୍ଟାଲ ୫୦ କିଲୋ ଗଂଜେଇ ମିଳିଥିଲା। ଏହି ଘଟଣାରେ ନରୋତ୍ତମଙ୍କୁ ଗିରଫ କରାଯାଇଥିଲା। ହେଲେ ଚଢାଉ ପୂର୍ବରୁ କୌଣସି ସୁତ୍ରରୁ ଖବର ପାଇ ଫୁଲବାଣୀ ଓ ବୌଦ୍ଧର ୯ ଜଣ ଗଂଜେଇ ମାଫିଆ ସେଠାରୁ ଦୌଡି ପଳାଇ ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୁଲିସ ବହୁ ସମୟ ଧରି ତନାଘନା କରିଥିଲା। ହେଲେ ସେମାନଙ୍କ ପତ୍ତା ମିଳି ନଥିଲା। ଦୌଡି ପଳାଇ ଯାଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବୁ ବ‌ୋଲି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ମୁର୍ମୁ କହିଛନ୍ତି।

ସୂଚନାଯୋଗ୍ୟ, ୨ ମାସ ମଧ୍ୟରେ ଗୋଛା‌ପଡା ଅଞ୍ଚଳରୁ ୪୦ କ୍ବିଣ୍ଟାଲ ପାଖାପାଖି ଗଂଜେଇ ଜବତ ହେଲାଣି। ଗୋଛାପଡା ଓ ଫିରିଙ୍ଗିଆ ଥାନା ଅଞ୍ଚଳରେ ଅଧିକାଂଶ ଘରେ ଗଂଜେଇ ମହଜୁଦ ରହିଛି। କରୋନା କଟକଣା ପାଇଁ ଗଂଜେଇ ବାହାରକୁ ଚାଲାଣ କରି ହେଉ ନଥିବା ବେଳେ କାଁଭାଁ ଉଦ୍ୟମ ସମୟରେ ପୁଲିସ ହାବୁଡରେ ପଡି ଯାଉଛି। ଆଉ କେତେ ବେଳେ କେମିତି ଚାଲାଣ କରିବାରେ ମାଫିଆ ସଫଳ ହୋଇ ଯାଉଛନ୍ତି।

ସମ୍ବନ୍ଧିତ ଖବର