ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଗତକାଲି ଓ ଆଜି ବଡଧରଣ ଚଢ଼ଉ କରାଯାଇଛି। ସୀମାନ୍ତ ନକ୍ସଲ ଉପଦ୍ରୁତ ଗାଁ ଅଙ୍କୁରପାଲି, କାଲିଛାପର, ଟଙ୍କାଟୋଲି , ମନ୍କୋ ସମେତ ରାମଯୋଡି, ଦେଓଗାଁ, ବେତୋରା ଆଦି ସ୍ଥାନରେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲେ। ଦୁଇ ଦିନରେ ଜଣେ ମହିଳା ସମେତ ୮ ଜଣଙ୍କୁ ଗିରଫ କରିଛନ୍ତି।
ବିପୁଳ ପରିମାଣରେ ଦେଶୀ ମଦ, ପୋଚ ସମେତ ମଦ ତିଆରିରେ ବ୍ୟବହୃତ ଶହ ଶହ ଡ୍ରମ, ହାଣ୍ଡି, ଡେକ୍ଚି ଆଦି ଜବତ ହୋଇଛି। ଜବତ ମଦ ଓ ଜିନିଷର ଆନୁମାଲିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମନ୍କୋର ଜେନା ଏକ୍କା, ଶୁକ୍ରା ଏକ୍କା, ବେତେରାର ଗଶେଶ ଲାକ୍ରା, ରାମଯୋଡିର ପ୍ରସନ୍ନ କୁମାର ସାହୁ, ବେତୋରାର ଲକ୍ଷ୍ମୀ ଏକ୍କା ଓ ବିକ୍ରମ ଓରାମ।
ଗତକାଲି ଅଙ୍କୁରପାଲି, କାଲିଛାପର, ଟାଙ୍ଗୋଲି ଏବଂ ଦେଓଗାଁ ଅଞ୍ଚଳରୁ ପୁଲିସ ୮୦୦ ଲିଟର ମଦ, ୩୯,୦୦୦ ଲିଟର ପୋଚ ଜବତ କରାଯାଇଥିଲା। ଆଜି ମନ୍କୋ, ରାମଯୋଡି, ଆମଝରଣରୁ ୧୫,୬୦୦ ଲିଟର ପୋଚ, ୬୫୦ ଲିଟର ମଦ, ୯ କ୍ବିଣ୍ଟାଲ ମହୁଲ ଫୁଲ ଜବତ କରାଯାଇଛି। କଟକ ଫ୍ଲାଇଂ ସ୍କ୍ବାର୍ଡର ଜିଲ୍ଲା ଅବକାରୀ ଅଧୀକ୍ଷକ ସିଧେଶ୍ବର ବେସରା, ରାଜ୍ୟ ଫ୍ଲାଇଂ ସ୍କାର୍ଡର ସୁଶାନ୍ତ ପାଢ଼ୀ, ରାଉରକେଲା ଜିଲ୍ଳା ଅବକାରୀ ଅଧୀକ୍ଷକ ଝସକେତନ ବରିହା, ସମ୍ବଲପୁର ଫ୍ଲାଇଂ ସ୍କ୍ବାର୍ଡର ସ୍ମୃତିକାନ୍ତ ରାଉତ, ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ରାଜ୍ୟ ଫ୍ଲାଇଂ ସ୍କ୍ବାର୍ଡ ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କ ସମେତ ଏସ୍ଆଇ ମନିଷା ଭୋଇ, ଏଚ୍. ମହାନନ୍ଦିଆ, ଶ୍ରୀଧର ମହାନ୍ତି ପ୍ରମଖ ଚଢ଼ଉର ନେତୃତ୍ବ ନେଇଥିଲେ।
/sambad/media/post_attachments/wp-content/uploads/2021/07/573e8c1d-66c4-418e-b782-88e8d23600ee-300x225.jpg)
ଉଲ୍ଲେଖଯୋଗ୍ୟ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନକ୍ସଲ ଉପଦ୍ରୁତ ଗାଁରେ ଦୈନନ୍ଦିନ ଶହ ଶହ ଲିଟର ଦେଶୀ ମଦ ପ୍ରସ୍ତୁତି ହେଉଥିଲା। ଏସବୁ ମଦ ବିଭିନ୍ନ ଗଳାବାଟ ଦେଇ ସହରକୁ ଆସୁଥିଲା। ପୁଲିସ, ଅବକାରୀ ବିଭାଗ ଜାଣିଥିଲେ ହେଁ ନକ୍ସଲ ଭୟରେ ଏସବୁ ସ୍ଥାନକୁ ଚଢ଼ଉ ପାଇଁ ଯିବାକୁ ଭୟ କରୁଥିଲେ। ଯାହାର ଭରଫୁର ଫାଇଦା ଉଠାଇଥିଲେ ଦେଶୀ ମଦ ମାଫିଆ ଓ ମଦ ତିଆରି କରୁଥିବା ବେପାରୀ। ଗତକାଲି ଓ ଆଜିର ଚଢ଼ଉ ପରେ ଅଧିକାଂଶ ଦେଶୀମଦ କାରଖାନା ଛାଡି ବେପାରୀମାନେ ଫେରାର ହୋଇଯାଇଥିଲେ।
ଘଟଣାସ୍ଥଳରେ ଅବକାରୀ ପୁଲିସ ଟିମ୍ ହଜାର ହଜାର ଲିଟର ପୋଚକୁ ନଷ୍ଟ କରିଦେବା ସହ ବିପୁଳ ପରିମାଣରେ ମଦ ଜବତ କରିଥିଲା। କେବଳ ଏତିକି ନୁହେଁ ମଦ ତିଆରି ବ୍ୟବହାର ହେଉଥିବା ସାମଗ୍ରୀକୁ ମଧ୍ୟ ଜବତ କରାଯାଇଥିଲା। ଅବକାରୀ ବିଭାଗର ବଡଧରଣ ଚଢ଼ଉ ପରେ ଦେଶମଦ ତିଆରି କରୁଥିବା ବେପାରୀ ଓ କାରବାର କରୁଥିବା ମାଫିଆଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେପଟେ ଆଗାମୀ ଦିନରେ ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/6cbcb68f-e955-4334-b124-adf47ebfcb7c.jpg)