ଅଙ୍ଗନବାଡ଼ି କେନ୍ଦ୍ରରେ ବିଷାକ୍ତ ଫଳ ଖାଇ ୮ ଶିଶୁ ଗୁରତର

ମାଲକାନଗିରି: ଘରେ ନପଶୁଣୁ ଚାଳ ବାଜିଲା ସଦୃଶ୍ୟ। ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁ ଖୋଲୁ ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ବିଷାକ୍ତ ଫଳ ଖାଇବା ଫଳରେ ଗୁରୁତର ହୋଇ ମାଲକାନଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅଙ୍ଗନବାଡ଼ି ଦିଦିଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ମନସୁଗୁଡା ଗ୍ରାମରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସକାଳେ ପିଲାମାନେ ଯାଇଥିଲେ। ତେବେ ପିଲାମାନଙ୍କୁ ପାଠ ପଢାଇବା ବଦଳରେ ଅଙ୍ଗନବାଡ଼ି ଦିଦି ଅବହେଳା ପ୍ରଦର୍ଶନ କରିଥିବାରୁ ପିଲାମାନେ ସେଠାରେ ବୁଲାବୁଲି କରି କୌଣସି ବିଷାକ୍ତ ଫଳକୁ ଖାଇ ଦେଇଥିଲେ।

ଯାହାଫଳରେ ସମସ୍ତେ ଘରକୁ ଯିବା ପରେ ବାନ୍ତି କରିବା ସହ ଗୁରୁତର ହୋଇପଡିଥିଲେ। ଗୁରୁତର ହୋଇଥିବା ପିଲାମାନେ ହେଲେ ରାଣୀମା କୁରାମି,ଦେବେନ୍ଦ୍ର କୁରାମି,ମାମୁନି ପଡିଆମି,ଜୟନ୍ତୀ କାବାସି,ହୀରାମଣି କାବାସି,ସିଦ୍ଧାନ୍ତ ପଡିଆମି ଏବଂ ରେବିକା ପଡିଆମି।

ଏମାନଙ୍କ ମଧ୍ୟରୁ ଦୁଇ ଜଣ ବାଳକ ଏବଂ ୬ ଜଣ ବାଳିକା ରହିଛନ୍ତି। ସମସ୍ତ ଶିଶୁଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ତେବେ ଅଳ୍ପକେ ଶିଶୁମାନେ ବର୍ତ୍ତିଯାଇଥିବା କୁହାଯାଇଛି। ତୁରନ୍ତ ଚିକିତ୍ସା କରାଯାଇ ନଥିବା ଅଘଟଣ ଘଟିଥାନ୍ତା ବୋଲି କୁହାଯାଇଛି।

ତେବେ ଏନେଇ ସିଡିପିଓ ରାଜଶ୍ରୀ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ ଏନେଇ କିଛି ଜାଣି ନଥିବା କହିଥିଲେ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ କହିବି ବୋଲି ଉତ୍ତର ଦେଇଥିଲେ। ତେବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକକୁ ଲଗାତାର ଯାଞ୍ଚ କରାଯାଉ ନଥିବା ଏବଂ ସିଡିପିଓଙ୍କ ଉଚିତ ତଦାରଖ ହୋଇପାରୁ ନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରାଯାଇଛି।

ଏପରିକି ଅଭିଭାବକମାନେ ଆଗକୁ ଆଉ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ଅଙ୍ଗନବାଡ଼ି ଦିଦିଙ୍କ ଦାୟୀତ୍ବହିନତା ଯୋଗୁଁ ଆଜି ୮ଟି ଶିଶୁଙ୍କର ଜୀବନ ଚାଲିଯାଇଥାନ୍ତା ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ଏହାର ଉଚିତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର