ଘଟଗାଁ: ଛାତ୍ରଛାତ୍ରୀଙ୍କ ରହିବା ପାଇଁ ୮ କୋଟି ଟଙ୍କା ବ୍ୟୟରେ ଦୁଇଦୁଇଟି ଛାତ୍ରାବାସ ନିର୍ମାଣ କରାଯାଇଛି। ନିର୍ମାଣକୁ ଦୁଇବର୍ଷ ପୂରିଥିଲେ ମଧ୍ୟ କୋଠା ହସ୍ତାନ୍ତର ହୋଇପାରୁନି। ଫଳରେ ଛାତ୍ରାବାସ ଦୁଇଟି ବ୍ୟବହାର ହୋଇନପାରି ଏବେ ଭୂତକୋଠିରେ ପରିଣିତ ହୋଇଛି। ଅନ୍ୟପକ୍ଷରେ ତିନିଟି ପୁରୁଣା ଛାତ୍ରାବାସରେ ସ୍ଥାନାଭାବ ଯୋଗୁଁ ଛାତ୍ରଛାତ୍ରୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବଡ଼ଜାମୁପଶି ପଞ୍ଚାୟତ ଦେହୁରୀପଶି ଆଶ୍ରମ ହାଇସ୍କୁଲରେ।

Advertisment

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୭୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୬୦୦ ଛାତ୍ରଛାତ୍ରୀ ଛାତ୍ରାବାସରେ ରହୁଛନ୍ତି। ଛାତ୍ରାବାସ ସ୍ଥାନାଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ରହିବାରେ ସମସ୍ୟା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏଠାରେ ଆଉ ଦୁଇଟି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୪ ବର୍ଷ ତଳେ ଟେଣ୍ଡର କରାଯାଇଥିଲା। ଦୁଇବର୍ଷ ତଳୁ ଦୁଇଟି ଛାତ୍ରାବାସ ନିର୍ମାଣ କାମ ଶେଷ ହୋଇଯାଇଛି। ଗୋଟିଏ ଛାତ୍ର ଓ ଅନ୍ୟଟି ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ତେବେ ଏହାକୁ ହସ୍ତାନ୍ତର କରାଯାଉ ନଥିବାରୁ ଛାତ୍ରବାସ ଗୁଡ଼ିକ କାମରେ ଆସିପାରୁ ନାହିଁ। କୋଠ ଦୁଇଟି ଆଗରେ ଅନାବନା ଗଛଲତା ଉଠି ଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷ‌ରେ ପୁରୁଣା ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଗୋଟିଏ ଖଟରେ ପିଲାମାନେ ଜାକିଜୁକି ଶୋଉଛନ୍ତି। ବର୍ତ୍ତମାନ ବର୍ଷାଦିନ ଯୋଗୁଁ ଅବସ୍ଥା ଆହୁରି ସଂଗିନ ହୋଇଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାମୋଦର ପଣ୍ଡାଙ୍କୁ ପଚାରିବାରୁ, ଉଭୟ କୋଠାକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇନି। ସେହିପରି ଦୁଇବର୍ଷ ତଳୁ ନିର୍ମାଣ ସରିଥିଲେ ମଧ୍ୟ ଏହାକୁ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇ ନାହିଁ। ଯେଉଁଥିପାଇଁ ଏହା ଛାତ୍ରଛାତ୍ରୀଙ୍କ ବ୍ୟବହାରରେ ଆସିପାରୁ ନଥିବା ଶ୍ରୀ ପ୍ରକାଶ କରିଛନ୍ତି। ଛାତ୍ରାବାସକୁ ବିଦ୍ୟୁତ୍‌ ସଂଯୋଗ ଦେବାପାଇଁ ଗତବର୍ଷ ୧୧ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିବା ସେ କହିଛନ୍ତି। ତୁରନ୍ତ ଛାତ୍ରାବାସକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ଏହାକୁ ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ଦାବି ହେଉଛି।