ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି ହଡ଼ପ ମସୁଧା; ପାଣି ପରି ବୋହି ଯିବ ୮ କୋଟି 

ରାୟଗଡ଼ା: ଜିଲ୍ଲାର ଅଧିକାଂଶ ଗାଁରେ ଏବେ ବି ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଲୋକେ ନାଳ ଓ ଝରଣା ପାଣି ଉପରେ ନିର୍ଭରଶୀଳ। କିନ୍ତୁ ଆବଶ୍ୟକ ଥିବା ଗାଁରେ ପ୍ରକଳ୍ପ ନିର୍ମାଣ ନ କରି ତେଲିଆ ମୁଣ୍ଡରେ ତେଲ ଭଳି ଜିଲ୍ଲା ପ୍ରଶାସନ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ସ୍ଥାନରେ ପୁଣି ସୋଲାର ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରିଛି। ଏଥିପାଇଁ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠିରୁ ୮ କୋଟିର ବ୍ୟୟ ଅଟ୍ଟକଳ କରାଯାଇଛି। ଫଳରେ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଥିବା ୮ କୋଟି ଟଙ୍କାକୁ ସୋଲାର ପ୍ରକଳ୍ପ ନାଁରେ ପାଣି ଭଳି ବୋହି ନେବାକୁ ମସୁଧା ଚାଲିଛି।

ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି କମିଟିର ନିଷ୍ପତ୍ତି ଅନୁଯାୟୀ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ (ଆରଡବ୍ଲ୍ୟୁଏସଏସ)କୁ ୫ କୋଟି, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଲିମିଟେଡ (ଓଏସଆଇସି)କୁ ଜିଲ୍ଲା ଖଣିଜ ପାଣ୍ଠିରୁ ୩ କୋଟି ମୋଟ ୮ କୋଟିର ଅନୁଦାନ ଦିଆଯାଇଛି। ଓଏସଆଇସି କାଶୀପୁର ବ୍ଲକର ୪୧ଟି ଗ୍ରାମରେ ୧୦/୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ସୋଲାର ପ୍ରକଳ୍ପ ନିର୍ମାଣ କରି ପ୍ରତି ଘରକୁ ପାଣି ଯୋଗାଇବାର ଯୋଜନା ରହିଛି। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କାଶୀପୁର, ବିଷମକଟକ, ଗୁଣପୁର ସମେତ କିଛି ବ୍ଲକରେ ସୋଲାର ପ୍ରକଳ୍ପ ଓ ଲୁହା ପାଣି ପରିଷ୍କାର ପାଇଁ ବିଶୋଧନାଗାର ନିର୍ମାଣ କରିବାକୁ ସ୍ଥିର ହୋଇଛି।

ପୂର୍ବରୁ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଅପହଞ୍ଚ, ପାହାଡ଼ିଆ ଇଲାକାରେ ନିର୍ମିତ ସୋଲାର ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଖତ ଖାଉଛି। ପାଖାପାଖି ୬୦ ପ୍ରତିଶତ ସୋଲାର ପ୍ରକଳ୍ପ ଜଳ ଯୋଗାଇବାରେ ସକ୍ଷମ ନଥିବା ବେଳେ ପୁଣି ୮ କୋଟି ବ୍ୟୟରେ ସୋଲାର ପ୍ରକଳ୍ପ ନିର୍ମାଣ ପାଇଁ ବଦଳି ପୂର୍ବରୁ ରାୟଗଡ଼ାର ପୂର୍ବତନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ପୂର୍ବତନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ୍ ଋତୁରାଜ ଅନୁମୋଦନ କରିଛନ୍ତି। ଅର୍ଥ ଅନୁମୋଦନ ପରେ ଏବେ ଓଏସଆଇସି, ଆରଡବ୍ଲ୍ୟୁଏସ୍ଏସ୍ ଟେଣ୍ଡର ଡାକିଛନ୍ତି।

ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଗାମୀ ୨ ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରିବାର ଯୋଜନା ରହିଛି। ତେବେ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠିର ବ୍ୟୟ ଅଟ୍ଟକଳ ପୂର୍ବରୁ ଭାରତ ସରକାର କାଶୀପୁର, ବିଷମକଟକ ଓ ଗୁଣପୁର ବ୍ଲକରୁ ପାନୀୟ ଜଳ ସଙ୍କଟ ଦୂର କରିବାକୁ ୪୧୬.୨ କୋଟିର ପ୍ରକଳ୍ପକୁ ଅନୁମୋପଦନ କରିଛନ୍ତି। ବିଷମକଟକ ବ୍ଲକର ୨୦ଟି ପଞ୍ଚାୟତ ୨୬୪ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଭାରତ ସରକାର ଆରଡବ୍ଲ୍ୟୁଏସଏସକୁ ୯୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବଂଶଧାରା ନଦୀରୁ ପାଣି ଉଠାଇ ବିଶୋଧନ ପରେ ୨୧ ହଜାର ପରିବାରକୁ ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି।

୨୦୨୧ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ। ସେହିପରି ଗୁଣପୁର ବ୍ଲକର ୧୪ ପଞ୍ଚାୟତର ୯୫ଟି ଗାଁକୁ ପାଣି ଯୋଗାଇବାକୁ ୮୫.୭ କୋଟି ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ପ୍ରକଳ୍ପ ଦ୍ବାରା ୧୫ ହଜାର ୧୧୭ ପରିବାର ଉପକୃତ ହେବେ। ବିଷମକଟକ, ଗୁଣପୁର ପରି କାଶୀପୁର ବ୍ଲକର ୨୪ଟି ପଞ୍ଚାୟତର ୪୧୮ ଗାଁ ପାଇଁ ୩୩୯ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ପାଣି ଆଣି ବିଶୋଧନ ପରେ ପ୍ରାୟ ୨ ଲକ୍ଷ ୨୭ ହଜାର ୫୭୯ ଲୋକଙ୍କୁ ଏହି ପ୍ରକଳ୍ପ ବିଶୁଦ୍ଧ ପାଣି ଯୋଗାଇବ। ବହୁ ସର୍ଭେ ଓ ବିଚାର ବିମର୍ଶ ପରେ ଜିଲ୍ଲା ପ୍ରଶାସନର ନିବେଦନକ୍ରମେ ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ସରକାର ୪୧୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି।

ଏହା ସତ୍ତ୍ବେ ପୁଣି ଏହି ଅଞ୍ଚଳରେ ସୋଲାର ଜଳ ପ୍ରକଳ୍ପ ନିର୍ମାଣ ଲକ୍ଷ୍ୟ ରଖି ୮ କୋଟି ଟଙ୍କା ଖଣିଜ ପାଣ୍ଠିର ବ୍ୟୟ ଅଟ୍ଟକଳ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା କମିଟିରେ ଜିଲ୍ଲାର ସାଂସଦ, ବିଧାୟକ ସଦସ୍ୟ ଥିବା ବେଳେ ଅନ୍ୟ ବିକାଶମୂଳକ କାମକୁ ପ୍ରାଧ୍ୟାନ୍ୟ ନ ଦେଇ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାନରେ ପୁଣି ସୋଲାର ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି ତାକୁ ନେଇ ସନ୍ଦେହ ଉପୁଜିଛି।

ସମ୍ବନ୍ଧିତ ଖବର