ଯାଜପୁର: ଠକେଇର ଶିକାର ୪୦ରୁ ଊର୍ଦ୍ଧ୍ଵ ବିଇଡି ପରୀକ୍ଷାର୍ଥୀ। ପରୀକ୍ଷା ଦେବାକୁ ଯାଇପାରିଲେ ନାହିଁ। ଶେଷରେ ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ। ଅଭିଯୋଗ ମୁତାବକ, ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ବିଇଡି ପରୀକ୍ଷା ଦେବା ପାଇଁ ଏଜେଣ୍ଟ ଜରିଆରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ ଓ ଜଣ ପିଛା ନଗଦ ୨୦ହଜାର ଟଙ୍କା ଦେଇଥିଲେ। ଗତକାଲି ପରୀକ୍ଷା ଥିବା ବେଳେ ସମ୍ପୃକ୍ତ ଏଜେଣ୍ଟ ଛାତ୍ରଛାତ୍ରୀଙ୍କୁ ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲା ଜାରକା ନିକଟରେ ବସ ଯୋଗେ ଯିବାକୁ କହିଥିଲେ। ଯାଜପୁର ସମେତ କଟକ, ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ବିଇଡି ପରୀକ୍ଷାର୍ଥୀ ଜାରକା ଛକ ନିକଟରେ ଏକାଠି ହୋଇ ବସ୍କୁ ଅପେକ୍ଷା କରିଥିଲେ।
ତେବେ ନିର୍ଦ୍ଧାରିତ ସମୟରେ ବସ ନଆସିବାରୁ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଏଜେଣ୍ଟକୁ ଫୋନ କରିଥିଲେ। ମାତ୍ର ତାଙ୍କ ଫୋନ ସୁଇଚ ଅଫ ରହିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଠକେଇର ଶିକାର ହେବା ସହ ଏହି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଏଜେଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ସାର୍ଟିଫିକେଟ ଓ ଅର୍ଥ ଫେରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/d15b0319-b0f1-4181-a733-884b4465b809.jpg)