ହରିଚନ୍ଦନପୁର: କାଳବୈଶାଖୀର ପ୍ରଭାବରେ ଆଜି ଅପରାହ୍‌ଣରେ ହୋଇଥିବା ଝଡ଼ତୋଫାନରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ ଟିଗିରିଆଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଆଜବେଷ୍ଟସ ଖସିପଡ଼ିଛି। ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୩୦ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ଆହତମାନେ ହେଲେ ଛୁଟୁଙ୍ଗ ଗ୍ରାମର ସତ୍ୟଜିତ ଦେହୁରୀ (୬), ଚିଲିକିଧରା ଗ୍ରାମର ମୁକେଶ ପାତ୍ର (୮), ସାନ୍ତରାପୁର ଗ୍ରାମର ଶୁଭମ ମହାନ୍ତ (୭), ସାନଶିଆଡ଼ିମାଳ ଗ୍ରାମର ଧର୍ମକୃଷ୍ଣ ମୁଣ୍ଡା (୭), ତପୁ ମୁଣ୍ଡା(୫), ଅଁଳାଯୋଡ଼ି ଗ୍ରାମର ରାଜେଶ୍ବର ମୁଣ୍ଡା (୮), ବର୍ଷା ମହାନ୍ତ (୬) ଓ କଣ୍ଟୁଳା ଗ୍ରାମର ଦୀପିକା ମହାନ୍ତ (୮)। ଆହତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତିନିଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟମାନଙ୍କ ହାତଗୋଡ଼ରେ ଆଘାତ ଲାଗିଛି। ଏହି ବିଦ୍ୟାଳୟ ଓ ହଷ୍ଟେଲ ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାବେଳେ ଶିକ୍ଷା ବିଭାଗଠାରୁ ଅନୁମତି ପାଇନଥିବା ଜଣାପଡ଼ିଛି।