ଦୁର୍ଘଟଣା ଛଡ଼ାଇନେଲା ଖେଳକୁଦ; ବଞ୍ଚିବା ପାଇଁ ସଂଘର୍ଷ କରୁଛି ୮ ବର୍ଷର ଝିଅ ‘ଭୂମିକା’

ସହାୟତା ଲୋଡ଼ିଲେ ଗରିବ ବାପାମାଆ

କୁଳିଦା: ବୟସ ମାତ୍ର ୮ ବର୍ଷ। ଯେଉଁ ବୟସରେ ଖେଳାବୁଲା କରିବା କଥା, ସେ ବୟସରେ ସେ ବିଛଣାରେ ପଡ଼ିଛନ୍ତି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ଏପରି ଅବସ୍ଥା। ଚିକିତ୍ସା ପାଇଁ ଡାକ୍ତର କହୁଛନ୍ତି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଫଳରେ ଗରିବ ବାପାମାଆ କିଛି ଉପାୟ ନପାଇ ଝିଅର ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ନିଶ୍ଚିନ୍ତପୁର ଗ୍ରାମର ପ୍ରକାଶ ଦାସଙ୍କ ୮ ବର୍ଷର ଝିଅ ଭୂମିକା। କିଛିଦିନ ତଳେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପଡ଼ିଯାଇଥିଲେ। ପ୍ରକାଶ ଝିଅକୁ ଡାକ୍ତରଖାନା ନେଇଥିଲେ। ଡାକ୍ତର ଯାହା କହିଲେ; ସେକଥା ଶୁଣିବା ପରେ ପ୍ରକାଶଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଭୂମିକା ପଡ଼ିଯିବା ଫଳରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ତୁରନ୍ତ ଅସ୍ତ୍ରୋପଚାର ଦରକାର। ଏଥିପାଇଁ ପାଖାପାଖି ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ଗରିବ ପ୍ରକାଶଙ୍କ ପାଖରେ ଆବଶ୍ୟକ ପରିମାଣର ଅର୍ଥ ନାହିଁ। ଫଳରେ ଭୂମିକାଙ୍କ ଅସ୍ତ୍ରୋପଚାର ହୋଇପାରୁନି। ଖେଳକୁଦ କରିବା ବୟସରେ ଭୂମିକା ବିଛଣାରେ ପଡ଼ି କଷ୍ଟ ପାଉଛନ୍ତି।

ସେହିପରି ତାଙ୍କର ଡାହାଣ ଗୋଡ଼ ମଧ୍ୟ ଛୋଟ ହୋଇଯାଉଥିବା ଦେଖାଯାଉଛି। ଝିଅର ଅସ୍ତ୍ରୋପଚାର ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ, ସେହି ଚିନ୍ତାରେ ଅଛନ୍ତି ପ୍ରକାଶ ଓ ତାଙ୍କ ପତ୍ନୀ ଖୁଲଣା। ପତର ଠୁଙ୍ଗା ବିକି ଯାହା ସଞ୍ଚୟ କରିଥ‌ିଲେ, ସେସବୁ ସରିଯାଇଛି। ଏପରି ସମୟରେ କିଛି ଉପାୟ ନପାଇ ଝିଅକୁ ବଞ୍ଚାଇବା ପାଇଁ ବାପାଆମା ସହାୟତା ପାଇଁ ସରକାରଙ୍କଠାରେ ଆକୁଳ ନିବେଦନ କରିଛନ୍ତି। ସେହିପରି ସହୃଦୟ ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ଦେବାକୁ ଅନୁରୋଧ କରିଛନ୍ତି। ସହାୟତା ଦେବାକୁ ଚାହୁଁଥିଲେ ମୋବାଇଲ୍‌ ନମ୍ବର ୬୩୭୧୭୯୯୦୯୪ରେ ଯୋଗାଯୋଗ କରାଯାଇ ପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର