କୋରାପୁଟ: ଚୋରା ଗଞ୍ଜେଇ କାରବାର ରୋକିବା ଦିଗରେ କୋରାପୁଟ ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ସେମିଳିଗୁଡା ଥାନା ପୁଲିସ ୮ କୁଇଣ୍ଟାଲର ୪୧ କେଜି ଗଞ୍ଜେଇ ଜବତ କରିଛି। ଲମତାପୁଟରୁ ସେମିଳିଗୁଡା ଦେଇ ଛତିଶଗଡ ନିଆଯାଉଥିଲାବେଳେ ରାଜପୁଟ ଛକ ନିକଟରୁ ପୁଲିସ ଏହି ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ବଜାର ଦର ୮୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ପୁଲିସ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସେମିଳିଗୁଡା ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ ସେମିଳିଗୁଡା-ନନ୍ଦପୁର ରାସ୍ତାରେ ଗାଡିମୋଟର ଯାଞ୍ଚ କରିଥିଲେ। ଏହି ସମୟରେ ଏକ ୧୦ ଚକିଆ ଟ୍ରକ(ସିଜି-୦୪-ଏଫବି-୨୫୮୨)କୁ ପୁଲିସ ସନ୍ଦେହରେ ଅଟକାଇଥିଲା। ଟ୍ରକକୁ ପୁଲିସ ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ୨୮ଟି ବସ୍ତାରେ ୧୬୫ ପ୍ୟାକେଟ ରହିଥିଲା ବେଳେ ଏହାର ଓଜନ ୮୪୧ କେଜି ବୋଲି ଜଣାପଡିଛି।
ଏହି ଗାଡିରେ ଯାଉଥିବା ବିହାର ବକ୍ସର ଜିଲ୍ଲାର ଧୀରଜ କୁମାର(୨୦ବର୍ଷ) ଓ ଅରବିନ୍ଦ କୁମାର(୧୯ବର୍ଷ)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ଆନ୍ତଃରାଜ୍ୟ କୁଖ୍ୟାତ ମାଫିଆ ବୋଲି ପୁଲିସ କହିଥିଲାବେଳେ ଏହି ଗଞ୍ଜେଇ ଲମତାପୁଟରୁ ଛତିଶଗଡ ଯାଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/a3f3737b-27fb-475a-8c87-7ada5f93038c-1.jpg)