+୨ କଳା ପରୀକ୍ଷୀଫଳରେ ରେକର୍ଡ କଲା ଏସଭିଏମ, ୮୦ ପ୍ରତିଶତରୁ ଉର୍ଦ୍ଧ୍ୱରେ ୪ ଛାତ୍ରଛାତ୍ରୀ

ବାରିପଦା: +୨ କଳାରେ ରାଜ୍ୟରେ ରେକର୍ଡ କରିଛି ବାରିପଦାସ୍ଥିତ ସାଇ ବିଦ୍ୟା ମନ୍ଦିର(ଏସଭିଏସ)। ଆଜି ପ୍ରକାଶ ପାଇଥିବା ପରୀକ୍ଷୀଫଳରେ ଏସଭିଏମର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସମସ୍ତ ୫୬ ପରୀକ୍ଷାର୍ଥୀ ପାସ୍‌ କରିଥିବାବେଳେ ୪ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଊର୍ଧ୍ବ ନମ୍ବର ରଖି କୃତିତ୍ବ ହାସଲ କରିଛନ୍ତି। ସମଗ୍ର ରାଜ୍ୟରେ କଳାରେ ମାତ୍ର ଜଣେ ୯୦ ପ୍ରତିଶତରୁ ଊର୍ଧ୍ବ ମାର୍କ ରଖିଥିବାବେଳେ ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ରୋଜାଲିନ ଗିରି ୪୯୭, ଉତ୍କଳିକା ମହାନ୍ତ ୪୯୪, ନମିଷା ସଏ ୪୮୬ ଏବଂ ଆଦର୍ଶ ଧଳ ୪୮୪ ନମ୍ବର ରଖିଛନ୍ତି। ସେହିପରି ୩୧ଜଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ, ୪୯ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏହି ସଫଳତା ନିମନ୍ତେ ଅନୁଷ୍ଠାନର ମହାପ୍ରବନ୍ଧକ ଇଂ ପ୍ରଭଞ୍ଜନ ରାଉତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହିତ କୃତି ଛାତ୍ରଛାତ୍ରୀଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ଆଇଏସଏସ ହୋଇ ସମାଜ କାର୍ଯ୍ୟରେ ଲାଗିବି: ରୋଜାଲିନ ଗିରି

୪୯୭ ମାର୍କ ରଖି ସାଇ ବିଦ୍ୟାମନ୍ଦିର ଶିକ୍ଷାନୁଷ୍ଠାନର ଟପ୍ପର ହୋଇଥିବାରୁ ଖୁବ୍‌ ଖୁସି ଲାଗୁଛି। ଏହି ସଫଳତାରେ ପିତାମାତାଙ୍କ ଆଶୀର୍ବାଦ ସାଙ୍ଗକୁ ଏସଭିଏମର ସମସ୍ତ ଗୁରୁଜୀ ଗୁରୁମା’ଙ୍କ ପରିଶ୍ରମ ରହିଛି। ଭବିଷ୍ୟତରେ ଜଣେ ଆଇଏଏସ ଅଧିକାରୀ ହୋଇ ସମାର ନି‌ଷ୍ପେସିତ ଶ୍ରେଣୀ କାମରେ ଲାଗିବାକୁ ଲକ୍ଷ୍ୟ ରଖିଛି।

ପ୍ରଶାସନିକ ଅଧିକାରୀ ହେବି: ଉତ୍କଳିକା ମହାନ୍ତ

ଆଶାଠାରୁ କମ୍‌ ନମ୍ବର ଆସିଛି। ସେଥିପାଇଁ ଦୁଃଖିତ। କଳାରେ ଅଧ୍ୟୟନ କରିବା ସବୁବେଳେ ମୋର ପ୍ରାଥମିକତା ରହିଆସିଛି। ଏହି ସଫଳତା ନିମନ୍ତେ ପିତାମାତା, ସାଇ ବିଦ୍ୟାମନ୍ଦିରର ସମସ୍ତ ସଦସ୍ୟଙ୍କ ଆଶୀର୍ବାଦ ଏବଂ ପ୍ରେରଣା ଦାୟୀ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ସମାଜସେବା କରିବାକୁ ଲକ୍ଷ୍ୟ ରଖିଛି।

ପିତାମାତାଙ୍କ ସମର୍ଥନ ଓ ଉତ୍ସାହ ସଫଳତା ଆଣିଛି: ନମିସା ସଏ

+୨ କଳାରେ ୪୮୬ ନମ୍ବର ରଖି କୃତକାର୍ଯ୍ୟ ହେବାର ସମ୍ପୂର୍ଣ୍ଣ ଶ୍ରେୟ ମୋର ମାତାପିତାଙ୍କୁ ଯାଉଛି। ସବୁ ସମୟରେ ସେମାନେ ମୋତେ ଉତ୍ସାହିତ କରିବା ସହିତ ସମର୍ଥନ ଦେଇଆସୁଥିଲେ। ଉଚ୍ଚଶିକ୍ଷା ଲାଭ କରିବା ସହିତ ସମାଜର ମଙ୍ଗଳ କରିବାର ଲକ୍ଷ୍ୟ ରହିଛି। ଏହି ସଫଳତାରେ ସାଇ ବିଦ୍ୟାମନ୍ଦିର ଏବଂ ପିସିସି ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷକଙ୍କ ଆଶୀର୍ବାଦ ରହିଛି।

ଜଣେ ସୁନାଗରିକ ହେବି: ଆଦର୍ଶ ଧଳ

ନିଜ ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନୁହେଁ। ୪୮୪ ମାର୍କ ଥିଲେ ମଧ୍ୟ ଆହୁରି ଅଧିକ ରଖିବାର ଆଶା ଥିଲା। କରୋନା କାରଣରୁ ପରୀକ୍ଷା ହୋଇନଥିବା ବାକି ଦୁଇଟି ବିଷୟ ଅର୍ଥଶାସ୍ତ୍ର ଏବଂ ତର୍କଶାସ୍ତ୍ରରେ ପରୀକ୍ଷା ହୋଇଥିଲେ ଆ‌ହୁରି ଅଧିକ ନମ୍ବର ରହିଥାଆନ୍ତା। ତେବେ ଭବିଷ୍ୟତରେ ମୁଁ ଜଣେ ସୁନାଗରିକ ହେବି। ଏହି ସଫଳତା ନିମନ୍ତେ ମୋର ପିତାମାତା ଏବଂ ଏସଭିଏମର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

 

ସମ୍ବନ୍ଧିତ ଖବର