ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ପୂର୍ବରୁ ଦିନ ଦ୍ବିପହରରେ ଲୁଟେରାମାନେ କଳାକନା ବୁଲାଇବାରେ ସଫଳ ହୋଇଥିବା ବେଳେ ଆଜି ଆକୁଳ-ଭୀମକାଣ୍ଡ ରାସ୍ତା ଘୁରୁଡିଆ ନାଳ ପୋଲ ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ୨ଜଣ ଦୁର୍ବୃତ୍ତ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ଏସବିଆଇ ଆକୁଳ ଶାଖା ଅଧୀନ ଭୀମକାଣ୍ଡ ଗ୍ରାହକ ସେବା କେନ୍ଦ୍ରର ଏଜେଣ୍ଟ ସତ୍ୟବ୍ରତ ସାହୁ ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ୭୯ ହଜାର ୬୦୦ ଟଙ୍କା ଉଠାଣ କରି ଭୀମକାଣ୍ଡକୁ ନିଜ ବାଇକ୍ ଯୋଗେ ଫେରୁଥିଲେ। ତାଙ୍କୁ ପିଛା କରି ଏକ ଧଳା ଟିଭିଏସ ଆପାଚି ଗାଡ଼ିରେ ୨ ଜଣ ଦୁର୍ବୃତ୍ତ ଆସି ପୋଲ ନିକଟରେ ଓଭର ଟେକ୍ କରି ବନ୍ଧୁକ ଦେଖାଇ ଗାଡ଼ି ଅଟାଇ ଥିଲେ।

Advertisment

ଗାଡ଼ି ଅଟକିବା ପରେ ହଠାତ୍ ମୁଣ୍ଡରେ ବନ୍ଧୁକ ଲଗାଇବା ସହିତ ଧକ୍କା ମାରି ମୋବାଇଲ, ଉଠାଣ ହୋଇଥିବା ଟଙ୍କା, ମନିପର୍ସରେ ଥିବା ୫ ଶହ ଟଙ୍କା ଓ ଏଟିଏମ୍ କାର୍ଡ, ଆଧାର, ପାନ୍ କାର୍ଡ ଇତ୍ୟାଦି ଛଡ଼ାଇ ନେଇଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ପରେ ପୁଣି ଆକୁଳ ରାସ୍ତାରେ ଦ୍ରୁତ ଗତିରେ ପଳାଇବା ସହିତ କିଛି ଦୂରରେ ଜଙ୍ଗଲରେ ମୋବାଇଲ ଫୋପାଡ଼ି ଦେଇଥିଲେ। ଏନେଇ ସେ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ଲୁଟପାଟ ଓ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ପୁଲିସ ଏସବୁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉନାହିଁ। ଫଳରେ ଦିନ ଦ୍ବିପହରରେ ଲୁଟେରା କଳାକନା ବୁଲାଇବାରେ ସଫଳ ହେଉଛନ୍ତି। ଏଥିପ୍ରତି ଜିଲ୍ଲା ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।