ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୩୮ ସମେତ କଟକରୁ ଆଜି ୮୧ ଜଣ କରୋନା ଆକ୍ରାନ୍ତ

କଟକ: ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୩୮ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୮୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ହୋଇଥିବା ବେଳେ ୨୨ ଜଣ ମହିଳା। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ସଂଗରୋଧରୁ ଥିବା ବେଳେ ୧୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ କ୍ୱାରେଣ୍ଟାଇନରୁ ଆଜି ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଏସ୍‌ସିବି ମେଡିକାଲ ଆଇସୋଲେସନରୁ ୨ ଜଣ ଅଛନ୍ତି। ରାଣୀହାଟରୁ ଜଣେ ମହିଳାଙ୍କ ସମେତ ୬ ଜଣ, ପରେଶ୍ୱରସାହିର ଯୋବ୍ରାରୁ ୧୬ ଜଣ, ଦେଉଳ ସାହିରୁ ଜଣେ ଓ ଭାନପୁରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ୧୪୭୦ କରୋନା ପଜିଟିଭ ଅଛନ୍ତି। ଏଥିରୁ ୬୯୩ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୭୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଆଜି ଚିହ୍ନଟ ୧୨ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ୭ ଜଣ ମହିଳା ଅଛନ୍ତି। ଏଥିରୁ ଜଣେ କୋଭିଡ ଯୋଦ୍ଧା। ରାଣୀହାଟ, ଗରଦପୁର,ବକ୍ସି ବଜାର ଧୋବୀ ଲେନ, ଚାନ୍ଦିନୀଚୌକ ଓ ଚାଉଳିଆଗଂଜରୁ ଜଣେ ଲେଖାଏଁ ପୁରୁଷ ଏବଂ ଚାଉଳିଆଗଂଜରୁ ୨ ଜଣ, ବକ୍ସି ବଜାର ବାରପଥର, ଜୋବ୍ରା ଦଶ ସାହି, ଜଉନିଲପାଟି, ଥୋରିଆ ସାହି ଓ ବାଦାମବାଡ଼ି ପୁରୁଣା ଏଲ୍‌ଆଇସି ନିକଟରୁ ଜଣେ ଲେଖାଏଁ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର