କରୋନା ସଜାଇଲା ଅନାଥ, ବାପା-ମା’ ଛେଉଣ୍ଡ ହେଲେ ୮୨ ଶିଶୁ

ଅଣକୋଭିଡ଼୍ ଶିଶୁଙ୍କ ମିଶାଇ ଚିହ୍ନଟ ହେଲେଣି ୨୧୪, ଥଇଥାନ ହେବେ ପିଏମ କେୟାର୍ସ, ଆର୍ଶୀବାଦ ଯୋଜନାରେ

ରାୟଗଡ଼ା : ଶୈଶବ ସୁଖ ଜାଣିବା ଆଗରୁ ଆରପାରିକୁ ଚାଲିଗଲେ ବାପା, ମା’। ତାହା ପୁଣି ମାରାତ୍ମକ କରୋନାରେ। କିଛି ଉଭୟ ବାପା-ମା’ଙ୍କୁ ହରାଇଥିବା ବେଳେ କିଏ ବାପା ତ କିଏ ମା’କୁ ହରାଇ ନିଶ୍ବଃ ହୋଇ ପଡିଛନ୍ତି। ଜୀବନ ଜିଇଁବା ପାଇଁ ରାହା ଖୋଜୁଥିବା ବାପା, ମା’ ଛେଉଣ୍ଡ ଶିଶୁଙ୍କ ଥଇଥାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପିଏମ କେୟାର୍ସ, ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନାରେ ଥଇଥାନ କରିବାକୁ ଆଜି ସୁଦ୍ଧା କୋଭିଡ଼୍, ଅଣକୋଭିଡ଼ରେ ବାପା-ମା’ଙ୍କୁ ହରାଇଥିବା ୨୧୪ ଶିଶୁଙ୍କ ଠାବ କରିଛି ପ୍ରଶାସନ।

କରୋନା ଦ୍ବିତୀୟ ଲହରୀ ରାୟଗଡ଼ା ପାଇଁ ଘାତକ ସାବ୍ୟସ୍ତ ହେବା ସହ ଶହେରୁ ଉର୍ଧ୍ବ ଜୀବନ ନେଇଛି। ଆତ୍ମୀୟ, ସ୍ବଜନକୁ ହରାଇବା ଦୁଃଖ ଏଯାବତ୍ ଲାଘବ ହୋଇପାରିନଥିବା ବେଳେ ଜିଲ୍ଲାର ୮୨ ଶିଶୁ ବାପା-ମା’ଙ୍କୁ ମହାମାରୀ କରୋନାରେ ହରାଇଛନ୍ତି। ସେଥି ମଧ୍ୟରୁ ୩ ଶିଶୁ (ଝିଅ) ଉଭୟ ବାପା-ମା’ଙ୍କୁ ହରାଇଥିବା ବେଳେ ଅନ୍ୟ ୭୯ ଶିଶୁ ବାପା, ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୫୪ ପୁଅ, ୨୫ ଝିଅ ରହିଛନ୍ତି। ସେହିପରି ଅଣକୋଭିଡ଼ରେ ୧୮ ଶିଶୁ ଉଭୟ ବାପା-ମା’ଙ୍କୁ ହରାଇ ଅନାଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ ପୁଅ, ୮ ଝିଅ ରହିଛନ୍ତି। ଅଣକୋଭିଡ଼ରେ ମଧ୍ୟ ବାପା-ମା’ ଛେଉଣ୍ଡ ହୋଇଥିବା ଶିଶୁଙ୍କ ସଂଖ୍ୟା କିଛି କମ ନୁହଁ। ଜିଲ୍ଲାର ୧୧୪ ଶିଶୁ (୪୭ ପୁଅ, ୬୭ ଝିଅ) ବାପା, ମା’ଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି। ଏପରି ଭାବେ ୨୦୨୦ ଏପ୍ରିଲ୍ ପରଠୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ୩ ଅନାଥ ଶିଶୁଙ୍କୁ ମିଶାଇ ମୋଟ ୨୧୪ ଶିଶୁ ବାପା-ମା’ଛେଉଣ୍ଡ ହୋଇଥିବା ସର୍ଭେରୁ ଜଣା ପଡିଛି।

୨୦୨୦ ଏପ୍ରିଲ ପରଠୁ କୋଭିଡ଼୍ ଓ ଅଣକୋଭିଡ଼ରେ ବାପା, ମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଥିବା ଶିଶୁଙ୍କୁ ଠାବ କରିବା ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଖୁବ୍ ଶୀଘ୍ର ଏହି ଶିଶୁଙ୍କ ସୁରକ୍ଷା ଦାୟିତ୍ବ ସହ ପାଠପଢ଼ା ଓ ଥଇଥାନ ପାଇଁ ଉଭୟ ସରକାର ଯୋଜନା ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଉଦ୍ୟମରେ ଆଜି ସୁଦ୍ଧା ଜିଲ୍ଲାରୁ ୨୧୪ ଶିଶୁଙ୍କୁ ଠାବ କରାଯାଇ ବାଲ ସ୍ବରାଜ ପୋର୍ଟାଲରେ ଅପଲୋଡ୍ କରାଯାଇଛି। ବାପା-ମା’ ଉଭୟଙ୍କୁ ହରାଇ ଅନାଥ ହୋଇ ପଡ଼ିଥିବା ଶିଶୁଙ୍କୁ ଓଡ଼ିଶା ସରକାର ଆର୍ଶୀବାଦ ଯୋଜନାରେ ୧୮ ବର୍ଷ ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଲେଖାଁଏ ପ୍ରଦାନ କରିବେ। ସେହିପରି ପରିବାରର ଉପାର୍ଜନକ୍ଷମ ବ୍ୟକ୍ତି (ଉଭୟ ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣଙ୍କୁ) ହରାଇଥିବା ଶିଶୁଙ୍କୁ ମାସିକ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଶିଶୁ ଥଇଥାନ କେନ୍ଦ୍ରରେ ରହୁଥିବା ଶିଶୁଙ୍କ ସମସ୍ତ ଦାୟିତ୍ବ ସରକାର ବୁଝିବା ସହ ସେମାନଙ୍କୁ ମାସିକ ୧ହଜାର ଟଙ୍କାର ସହାୟତା ପ୍ରଦାନ କରିବେ। ବାପା, ମା’ଙ୍କୁ ହରାଇବା ପରେ ଆତ୍ମୀୟ ସ୍ବଜନଙ୍କ ପାଖରେ ରହୁଥିବା ଶିଶୁଙ୍କ ସଂପର୍କୀୟ ଯଦି ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ତାହାହେଲେ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେବାକୁ ସରକାର ନିର୍ଦେଶ ଦେଇଛନ୍ତି। ଏଥି ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟସେବା ଓ ମଧୁବାବୁ ପେନସନ୍ ଯୋଜନାରେ ବାର୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ ନେଇ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର