ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ: ପୂର୍ବତନ ବାଚସ୍ପତି ଚିନ୍ତାମଣୀ ଦ୍ୟାନସାମନ୍ତରା

ବ୍ରହ୍ମପୁର: କରୋନାକୁ ନେଇ ଗଂଜାମରେ ଲୋକେ ଡରୁଥିବା ବେଳେ ଏହା ସହ ଲଢେଇରେ ଜିତିଲେ ୮୦ବର୍ଷୀୟ ତଥା ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା। ଗତ ୪ତାରିଖରେ ସେ ପଜିଟିଭି ଚିହ୍ନଟ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ତାଙ୍କ ପୁତ୍ର ମନୋରଞ୍ଜନ ଦ୍ୟାନସାମନ୍ତରା ସୂଚନା ଦେଇଛନ୍ତି।

ପରିଣତ ବୟସ ସତ୍ତ୍ୱେ ଦୃଢ଼ ମନୋବଳ ଯୋଗୁଁ ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା କେବଳ ଯେ ନିଜେ ଆରୋଗ୍ୟ ଲାଭ କରିଛନ୍ତି ଏହା ନୁହଁ ବରଂ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ସାଜିଛନ୍ତି। ହସ୍ପିଟାଲରୁ ସୁସ୍ଥ ହେବା ପରେ କରୋନାକୁ ନେଇ ଭୟ ନକରି ବରଂ ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ ଓ ମାନବ ସମାଜ ନିଶ୍ଚୟ ଜିତିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗଂଜାମରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ୩୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୧୨୨ ହୋଇଛି। ଗତକାଲି ପର୍ଯ୍ୟନ୍ତ ୧୨ ହଜାର ୬୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୨୨୮ ଜଣ। ମୋଟ ୧୫୨ ଜଣଙ୍କର ମୃତ୍ୟୁ ହୋଇଛି। ଅଗଷ୍ଟ ୧୪ ଯାଏଁ ଜିଲ୍ଲାରେ ସୁସ୍ଥଙ୍କ ପ୍ରତିଶତ ହେଉଛି ୮୩.୫୩ ପ୍ରତିଶତ।

ସମ୍ବନ୍ଧିତ ଖବର