ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସଂକ୍ରମଣ ପ୍ରତିହତ ପାଇଁ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତାମୂଳକ ପଦକ୍ଷେପର ଅଭାବ ଯୋଗୁଁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗତ ପ୍ରାୟ ସପ୍ତାହେ ହେଲା ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି; ବିଶେଷକରି ଗତ ୩ ଦିନ ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା ୮୦ରୁ ତଳକୁ ଖସୁନି। ଆଜି ମଧ୍ୟ ଏହି କ୍ରମ ଜାରି ରହିଛି।

Advertisment

ଆଜି ଜିଲ୍ଲାରୁ ୮୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫ ଜଣ ଆକ୍ରାନ୍ତ ରାଉରକେଲା ଓ ଆଖପାଖ ଅଞ୍ଚଳର ଥିବାବେଳେ ଅନ୍ୟ ୪୯ ଜଣ ବିଭିନ୍ନ ବ୍ଲକ ଅଞ୍ଚଳର। ଆକ୍ରାନ୍ତମାନେ ଉଦିତନଗର, ସିଭିଲ ଟାଉନସିପ୍‌, ଛେଣ୍ଡ୍‌, ପାୱାର ହାଉସ୍‌ ରୋଡ୍‌, ସେକ୍ଟର-୧୯, ମଧୁସୂଦନପଲ୍ଲୀ, ପ୍ଲାଣ୍ଟସାଇଟ୍‌, ସେକ୍ଟର-୨୨, ଡେଲିମାର୍କେଟ୍‌, ବାସନ୍ତୀ କଲୋନି, ନାଲା ରୋଡ୍‌, କୋଏଲନଗର, ସେକ୍ଟର-୧୬, ଶୀତଳପଡ଼ା(ଉଦିତନଗର), ରଘୁନାଥପଲ୍ଲୀ, ଆଇଜିଏଚ୍‌, ଜଗଦା, ସୁନ୍ଦରଗଡ଼ ଟାଉନ୍‌(ଖମାରୀପଡ଼ା, ରଙ୍ଗାଢ଼ିପା, ଭୱାନୀପୁର), କୁଟୁର୍ମା, ମୁର୍କିଆ, ବନଡେଗା, ମସ୍ନିକାନୀ, ଲୁଲକିଡିହି, ଲେମଲେମା, ଏନ୍‌ଟିପିସି, କିରେଇ, ବସୁନ୍ଧରା, ରାଜପୁର, ବାଲିଶଙ୍କରା, ବନ୍ଧପାଲୀ, କୁଆରମୁଣ୍ଡା, ଚେଙ୍ଗଝରଣ(ବିଶ୍ରା), ସିମଡେଗା, ନବରଙ୍ଗପୁର, ବସନ୍ତ ବଗିଚା, ଲାଇମୁରା(ଦେବଗଡ଼) ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୬,୫୫୯ରେ ପହଞ୍ଚିଛି। ଏଥିମଧ୍ୟରୁ ୧୫,୮୯୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୪୮୮ ଜଣ ଚିକିତ୍ସାଧୀନ ଅଛନ୍ତି। ତେ‌ବେ ୧୭୪ ଜଣଙ୍କ ମୃତ୍ୟୁ ହୋଇଛି।

ବନଡେଗାରେ ୮, ମୁର୍କିଆରେ ୨ ନୂଆ ଆକ୍ରାନ୍ତ

ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ମୁର୍କିଆ ଓ ବନଡେଗା ଗାଁ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ବନଡେଗାରେ ଆଜି ପୁଣି ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହା ଏଠାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୪୦ ଛୁଇଁଛି। ସେହିଭଳି ମୁର୍କିଆରେ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବାରୁ ଏଠାକାର୍‌ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୬ରେ ପହଞ୍ଚିଛି। ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏକ ବାହାଘର ଉତ୍ସବରେ ଯୋଗଦେବାକୁ ନାଗପୁରର ଏକ ବାଜା ଦଳ ବନଡେଗା ଆସିଥିଲେ। ଏହାପରେ ଏହି ବାଜା ଦଳ ମାର୍ଚ୍ଚ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏକାଧିକ ବାହାଘରରେ ସାମିଲ ହୋଇଥିଲେ। ଏହାପରଠାରୁ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି। ଅପରପକ୍ଷରେ କଣ୍ଟାକ୍ଟ୍‌ ଟ୍ରେସିଂ ଆଧାରରେ ଅଞ୍ଚଳରେ ସ୍ବାବ୍‌ ନମୁନା ସଂଗ୍ରହ ଓ ପରୀକ୍ଷଣକୁ ତ୍ବରାନ୍ବିତ କରାଯାଉଛି। ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି। ଆଜି ଏଠାରେ ୧୭୧ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି।