ଜୟପୁର: ପ୍ରସାଦ ରାଓ ପେଟ୍ଟା ପ୍ରଥମ ଲାଇନ୍ ଅଂଚଳର ଭି.ନାଗେଶ୍ବର ରାଓ ନାମକ ଜୈନେକ ପିକଅପ ଗାଡ଼ି ମାଲିକଙ୍କୁ ଗାଡ଼ିର ବୀମା କରାଇବା ନାଁରେ ମିଲସାହି ଅଂଚଳର ଅଭିଯୁକ୍ତ ପି.ହେମନ୍ତ କୁମାର ୮୫ହଜାର ୬୪୮ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାଗେଶ୍ବର ରାଓ ଆଜି ଜୟପୁର ଟାଉନଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଜୟପୁର ଟାଉନଥାନା ଅଧିକାରୀ ସମ୍ବିତ କୁମାର ବେହେରା। ମିଳିଥିବା ସୂଚନା ମୁତାବକ, ଗତ ସୋମବାର ଦିନ ନାଗେଶ୍ବର ରାଓଙ୍କୁ ଅଭିଯୁକ୍ତ ହେମନ୍ତ ଭେଟିଥିଲେ। ନାଗେଶ୍ବର ରାଓଙ୍କ ନିକଟରେ ଥିବା ପିକଅପ ଭ୍ୟାନର ବୀମା ଅଳ୍ପ ଦିନ ମଧ୍ୟରେ ଶେଷ ହେବାକୁ ଥିବାରୁ ହେମନ୍ତଙ୍କ ଜରିଆରେ ବୀମା କଲେ କମ୍ ପଇସାରେ ହେବ ବୋଲି ନାଗେଶ୍ବରଙ୍କୁ କହିଥିଲେ। ୨୫ହଜାର ଟଙ୍କାରେ ବୀମା ହୋଇପାରିବ ବୋଲି କହିଥିଲେ। ନାଗେଶ୍ବର ଅଭିଯୁକ୍ତ ହେମନ୍ତଙ୍କୁ ୨୫ହଜାର ଟଙ୍କା ପ୍ରଥମେ ଦେଇଥିଲେ।
ଟଙ୍କା ପାଇବାର ଦିନକ ପରେ ହେମନ୍ତ ପୁଣି ନାଗେଶ୍ବର ରାଓଙ୍କୁ ଭେଟି କ୍ରେଡିଟ୍ କାର୍ଡରେ ମୋବାଇଲରେ କଲେ ଆଉ କିଛି ଟଙ୍କା କମିଯିବ ବୋଲି କହିଥିଲେ। ଏହା ସହ କ୍ରେଡିଟ୍ କାର୍ଡ ନେଇ ମୋବାଇଲରୁ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ପ୍ରଥମେ ୧୫ହଜାର, ପରେ ୨୩ହଜାର ଓ ତୃତୀୟ ଥର ୨୨ ହଜାର ୬୪୮ଟଙ୍କା ଏଭଳି ତିନି ଥର ଟଙ୍କା ଉଠାଇ ଦେଇଥିଲେ। ଟଙ୍କା ଉଠାଣ ସମୟରେ ନାଗେଶ୍ବରଙ୍କ ମୋବାଇଲକୁ କୁଆଡେ ହେମନ୍ତ ମାଗି ନେଇ ଏଭଳି କରିଥିଲେ। ପରେ ମୋବାଇଲ୍ ନାଗେଶ୍ବରଙ୍କୁ ଫେରାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଏଚଡିଏଫସି ବ୍ୟାଙ୍କରୁ ନାଗେଶ୍ବରଙ୍କ ମୋବାଇଲକୁ ଟଙ୍କା କଟିବା ମେସେଜ୍ ଆସିଥିଲା। ଏହା ଜାଣିବା ପରେ ଅଭିଯୁକ୍ତଙ୍କ ମିଲ୍ ସାହି ଘରକୁ ନାଗେଶ୍ବର ଯାଇଥିବାବେଳେ ସେ ଘରେ ନ ନଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶା ଏଥିପୂର୍ବରୁ ଅଭିଯୁକ୍ତ ହେମନ୍ତ ଏଭଳି କରିଥିବା ସଂପର୍କରେ କହିବା ପରେ ସେ କିଂକର୍ତ୍ତବ୍ୟବିମୁଢ଼ ହୋଇ ଜୟପୁର ଟାଉନ ଥାନାର ଆଶ୍ରୟ ନେଇଛନ୍ତି। ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ଟାଉନଥାନା ଅଧିକାରୀ। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଏଭଳି ସାଇବର ଅପରାଧ ମାମଲା ରହିଥିବା ଏବଂ ଘଟଣାର ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବାକୁ ଟାଉନ ଥାନା ଅଧିକାରୀ ମନା କରିଥିଲେ।