ଶେଷରେ ନିଦରୁ ଉଠିଲା ଜିଲ୍ଲା ପ୍ରଶାସନ: ସୀମାନ୍ତରେ ଯାଞ୍ଚ ଆରମ୍ଭ, ଦିନକରେ ୮୬୯ ସଂକ୍ରମିତ

ରାଉରକେଲା: ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ କାୟା ବିସ୍ତାର କରିସାରିଲାଣି। ଦୈନିକ ସଂକ୍ରମଣ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି। ଯଦ୍ବାରା ଜିଲ୍ଲାବାସୀଙ୍କ ମନରେ କୋକୁଆ ଭୟ ଖେଳିଗଲାଣି। ଆଜି ମଧ୍ୟ ଏହି ଧାରା ଦେଖିବାକୁ ମିଳିଛି। ଆଜି ଜିଲ୍ଲାରେ ୮୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମୋଟ୍‌ ୪୩୨୦ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ଆର୍‌ଟିପିସିଆର୍‌ରେ ୧୭୦୩ ଓ ଆଣ୍ଟିଜେନରେ ୨୬୧୭ରେ ଟେଷ୍ଟ୍‌ କରାଯାଇଥିଲା। ଅର୍ଥାତ୍‌, ଆଜି ଜିଲ୍ଲାର ପଜିଟିଭ୍‌ ହାର ୬.୦୬ ରହିଛି। ତେବେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣହେଉଛନ୍ତି ୧୮ ବର୍ଷରୁ କମ୍‌ ବର୍ଷ ବୟସ୍କ। ୧୦ ବର୍ଷରୁ ତଳକୁ ୨୬ ଜଣ ଓ ୧୧-୧୮ ବର୍ଷ ବର୍ଗରେ ୧୪୮ ଜଣ ଆକ୍ରାନ୍ତ ହୋଇଛନ୍ତି।
ପ୍ରତିଦିନ ଭଳି ଆଜି ମଧ୍ୟ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ଆଜି ସହରରୁ ୩୨୬ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିଭଳି ବାଲିଶଙ୍କରା ବ୍ଲକରୁ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ ବଡ଼ଗାଁ ବ୍ଲକରେ ୩୪ ଜଣ, ବୀରମିତ୍ରପୁର ପୌରାଞ୍ଚଳରେ ୧୦, ବିଶ୍ରା ବ୍ଲକରେ ୫୮, ବଣାଇଁରେ ୧୩, ଗୁରୁଣ୍ଡିଆରେ ୧୦, ହେମଗିରରେ ୨୧, ‌କାଇଡ଼ାରେ ୧, କୁଆରମୁଣ୍ଡାରେ ୧୨, କୁତ୍ରାରେ ୧୮, ଲହୁଣୀପଡ଼ାରେ ୧, ଲାଠିକଟାରେ ୨୦, ଲେଫ୍ରିପଡ଼ାରେ ୧୯, ନୂଆଗାଁରେ ୩୪, ରାଜଗାଙ୍ଗପୁରରେ ୬୬, ସୁନ୍ଦରଗଡ଼ ସଦର ବ୍ଲକରେ ୨୦, ସବଡେଗାରେ ୪୬, ଟାଙ୍ଗରପଲ୍ଲୀରେ ୨୬ ଓ ସୁନ୍ଦରଗଡ଼ ଟାଉନ୍‌ରେ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୬୫,୫୫୮ରେ ପହଞ୍ଚିଛି। ଏଥିମଧ୍ୟରୁ ୬୧,୯୭୧ ଜଣ ସୁସ୍ଥ ହୋଇସାରିଥିବାବେଳେ ୨୯୯୧ ଜଣ ସକ୍ରିୟ ଅଛନ୍ତି। ତେବେ ୫୯୨ ଜଣଙ୍କ ଅକାଳ ବିୟୋଗ ଘଟିଛି।

ସୀମାନ୍ତ, ରେଳ ଷ୍ଟେସନରେ ଯାଞ୍ଚ ଆରମ୍ଭ

ବିଳମ୍ବରେ ହେଉ ପଛେ, ଶେଷରେ ଜିଲ୍ଲା ପ୍ରଶାସନର ଚେତା ପଶିଛି। ଜିଲ୍ଲାରେ ସଂକ୍ରମଣ ଏବେ ବ୍ୟାପକ ହୋଇସାରିଥିବାବେଳେ ଓଡ଼ିଶା ସୀମାନ୍ତ ଓ ରେଳ ଷ୍ଟେସନରେ ଯାଞ୍ଚ ଆରମ୍ଭ ହୋଇଛି। କଡ଼ା ନିୟମର କଡ଼ା ପାଳନ ପୂର୍ବକ ଯାଞ୍ଚ ହେଲେ ହିଁ କିଛିମାତ୍ରାରେ ସଂକ୍ରମଣ ରୋକାଯାଇପାରିବ, ଅନ୍ୟଥା ଏହା ପୁର୍ବଥର ଭଳି ପୁନର୍ବାର ଅଣାୟତ୍ତ ହେବା ଆକଳନ କରାଯାଉଛି।
ଓଡ଼ିଶା ସୀମାନ୍ତ ଜରୈକେଲା ଦେଇ ଝାଡ଼ଖଣ୍ଡକୁ ଅବାଧ ଚଳପ୍ରଚଳ ଜାରି ରହିଥିଲା। ସକାଳୁ ସନ୍ଧ୍ୟା ଯାଏଁ ରାଉରକେଲା-ବନ୍ଧମୁଣ୍ଡା-ବିଶ୍ରା-ଜରୈକେଲା-ଝାଡ଼ଖଣ୍ଡର ମନୋହରପୁର ଦେଇ ଲୋକଙ୍କ ଯିବାଆସିବା ଲାଗିରହିଥିଲା। ଝାଡ଼ଖଣ୍ଡ ସୀମାନ୍ତରେ ସେଠାକାର ପୁଲିସ ଦ୍ବାରା ଢ଼େର୍‌ ପୂର୍ବରୁ ଯାଞ୍ଚ ଆରମ୍ଭ ହୋଇଯାଇଥିଲା। ଓଡ଼ିଶା ପଟୁ କିନ୍ତୁ ସବୁ ମୁକୁଳା ପଡ଼ିଥିଲା। ତେବେ ଗତକାଲି ଉକ୍ତ ରାସ୍ତାର ମହୀପାଣିଠାରେ ଚେକିଂ ପୋଷ୍ଟ୍‌ ସ୍ଥାପନ କରାଯାଇଥିଲା। ଆଜିଠାରୁ ବିଧିବଦ୍ଧଭାବେ ଯାଞ୍ଚ ଆରମ୍ଭ ହୋଇଯାଇଛି। ମହୀପାଣି ସ୍ଥିତ ଚେକ୍‌ପୋଷ୍ଟ୍‌ରେ ପୁଲିସ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ରହି ଆଗନ୍ତକୁଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏହାସହ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି। ଓଡ଼ିଶା ସୀମାନ୍ତ ବୀରମିତ୍ରପୁର ପାତାଲକାଣ୍ଡ୍‌ଠାରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଏଠାରେ ଗତକାଲିଠାରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ସେହିଭଳି ଆଜିଠାରୁ ‌ରାଉରକେଲା ରେ ଷ୍ଟେସନଠାରେ ଯାଞ୍ଚ ଆରମ୍ଭ ହୋଇଛି। ଏଠାରେ ସମସ୍ତ ଟ୍ରେନ୍‌ ଯାତ୍ରୀଙ୍କର ଯାଞ୍ଚ କରାଯାଉଛି। ତେବେ ପ୍ରଥମ ଦିନରେ ଏଠାରେ କେବଳ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଆସନ୍ତାକାଲିଠାରୁ ଲକ୍ଷ୍ୟଣଯୁକ୍ତ ଯାତ୍ରୀମାନଙ୍କର ସ୍ବାବ୍‌ ଟେଷ୍ଟ୍‌ କରାଯିବବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର