ଇସ୍ପାତ ସହର ଗଳିକନ୍ଦିରେ ନକଲି ବିଦେଶୀ ମଦ; ୮୭ ବୋତଲ ମଦ ଜବତ

କୁଖ୍ୟାତ ଅନୀଲ ସାହୁ, ଶତୃଘ୍ନ ଫେରାର

ରାଉରକେଲା: ଇସ୍ପାତ ସହରର ଏବେ ନକଲି ବିଦେଶୀ ମଦ ମାଫିଆଙ୍କ ସାମ୍ରାଜ୍ୟ ପାଲଟିଛି। ନିୟମିତ ବ୍ୟବଧାନରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଓ ବେପାରି ଗିରଫ ହେଉଛନ୍ତି। ଆଜି ପୁଣି ଜଣେ ବେପାରିକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଜଲଦା ଏ’ ବ୍ଲକର ସଞ୍ଜିତ ଓରାମ(୪୩)। ତା’ ପାଖରୁ ୮୭ ବୋତଲ ନକଲି ବିଦେଶୀ ମଦ ସହ ମଦ ଚାଲାଣରେ ବ୍ୟବହୃତ ଆକ୍ଟିଭା(ଓଡି-୧୪-ୟୁ-୨୦୭୬), ୨୫୦ଟି ନକଲି ଠିପି, ୨୨୮ଟି ଲେବଲ୍‌ ଜବତ ହୋଇଛି। ଅଭିଯୁକ୍ତ ସଞ୍ଜିତ ଉକ୍ତ ମଦକୁ ବସ୍‌ ଯୋଗେ ଯାଜପୁର ପଠାଇବାକୁ ବାହାରିଥିଲା। ରାଉରକେଲା ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇଁ ତାକୁ ରଙ୍ଗିଲା ଛକ ପାଖରେ କାବୁ କରିନେଇଥିଲା।
ତେବେ ଏହି ନକଲି ବିଦେଶୀ ମଦ ବେପାରରେ ଜଡ଼ିତ ଦୁଇ ମାଫିଆ କିନ୍ତୁ ଫେରାର ହୋଇଯାଇଛନ୍ତି। ଏମାନେ ହେଉଛନ୍ତି ଜଲଦା ସି’ ବ୍ଲକର କୁଖ୍ୟାତ ଅନୀଲ କୁମାର ସାହୁ ଓ ଜଲଦା ଏ’ ବ୍ଲକର ଶତୃଘ୍ନ ପଶାୟତ। ଦୀର୍ଘ ବର୍ଷ ହେଲା ଅନୀଲ ଏହି ମଦ ବେପାରରେ ଜଡ଼ିତ ଅଛନ୍ତି। ତାଙ୍କ ନାଁରେ ଏକାଧିକ ମାମଲା ଥିବାବେଳେ ପୂର୍ବରୁ ଜେଲ୍‌ ବି ଯାଇଥିଲେ। ଏମିତିକି ମଦ ବେପାରରେ ବ୍ୟବହୃତ ତାଙ୍କର ଦୁଇଟି କାର୍‌, ବାଇକ୍‌ ଆଦି ଜବତ ବି ହୋଇଥିଲା। ତେବେ ଗତ ୧୯ ତାରିଖରେ ଅବକାରୀ ବିଭାଗ ତା’ର ଜଣେ କର୍ମଚାରୀ ରଞ୍ଜନ ସ୍ବାଇଁଙ୍କୁ ଗିରଫ କରିବାସହ ବହୁମାତ୍ରାରେ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଉକ୍ତ ଦିନ ସେକ୍ଟର-୪ ଆଇବି ବସ୍ତିରେ ଚଢ଼ଉ କରି ୪୩୨ ବୋତଲ ନକଲି ବିଦେଶୀ ମଦ ସହ ୧୫,୬୨୬ଟି ନକଲି ଲେବଲ୍‌, ୪୩୨୭ଟି ଠିପି, ୫୨୫୬ଟି ନକଲି ଏକ୍ସାଇଜ୍‌ ଲେବଲ୍‌, ୭୬୮ଟି ଖାଲି ବୋତଲ ଓ ଗୋଟିଏ ସ୍କୁଟି ଜବତ ହୋଇଥିଲା। ଏହି ମାମଲା ପରେ ଅବକାରୀ ପୁଲିସ ଅନୀଲ ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ; ତେବେ ଆଜିର ଚଢ଼ଉରେ ମଧ୍ୟ ସେ ଖସି ଯିବାରେ ସକ୍ଷମ ହୋଇଛି। ପ୍ରକାଶଥାଉକି, ଦିନକ ପୂର୍ବେ, ଅର୍ଥାତ୍‌ ଗତ ରବିବାର ଦିନ ଜଣେ ପୁରୁଣା ନକଲି ବିଦେଶୀ ମଦ ବେପାରି ଲହୁଣୀପଡ଼ାର ଦୟାନନ୍ଦ ରାୟକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ସେତେବେଳେ ତାଙ୍କ ପାଖରୁ ୨୨୩ଟି ଇମ୍ପେରିଆଲ ବ୍ଲୁ, ରୟାଲ ଷ୍ଟାଗ୍‌ ବ୍ରାଣ୍ଡ୍‌ର ନକଲି ବିଦେଶୀ ମଦ ବୋତଲ ସହ ବହୁମାତ୍ରାରେ ନକଲି ଲେବଲ, ଠିକି, ଖାଲି ବୋତଲ ଜବତ ହୋଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉ ବିଭାଗର ଅନ୍ୟ କର୍ମଚାରୀ ସାମିଲ ଥିଲେ।

ବେଆଇନ ଚାଲାଣ, ୧୯୧ ଲିଟର ବିଦେଶୀ ମଦ ଜବତ

ବେଆଇନଭାବେ ବିଦେଶୀ ମଦ ଚାଲାଣ କରୁଥିବାବେଳେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ମଧୁସୂଦନପଲ୍ଲୀର ସୁନୀଳ ଶ୍ରୀବାସ୍ତବ। ଅଭିଯୁକ୍ତ ପାଖରୁ ୧୯୧ ବୋତଲ ବିଅର୍‌ ବୋତଲ ଓ ଏକ ଅଟୋ(ଓଆର-୧୪-ଏକ୍ସ-୨୪୯୭) ଜବତ ହୋଇଛି। ଅଭିଯୁକ୍ତ ସୁନୀଳ ରେଳ ଷ୍ଟେସନ ପାଖ ଏକ ସରକାରୀ ମଦ ଦୋକାନରୁ ମଦ କିଣିଥିଲା। ଉକ୍ତ ମଦକୁ ଏକ ଅଟୋରେ ବନ୍ଧମୁଣ୍ଡାକୁ ଚାଲାଣ କରୁଥିବାବେଳେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ହାତରେ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର