ଝାରସୁଗୁଡ଼ା ଜିଲ୍ଲାରେ ଜୁଲାଇରେ ୮୮ ମିମି କମ୍‌ ବର୍ଷା

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାରେ ଅନାବୃଷ୍ଟି ପରିସ୍ଥିତି ଯୋଗୁଁ ଚାଷକାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳକଷ୍ଟ ଏବେବି ରହିଥିବା ଦେଖା ଯାଇଛି। ଆବଶ୍ୟକତା ଠାରୁ କମ୍‌ ବର୍ଷା ଯୋଗୁଁ ଶ୍ରାବଣ ମାସରେ ମଧ୍ୟ ନଦୀନାଳ ଶୁଖିଲା ପଡ଼ିଥିବା ଦେଖା ଯାଇଛି। ଜୁନ୍‌ ମାସରେ ବର୍ଷା ଧୋକା ଦେଇଥିବାରୁ ଜୁଲାଇ ମା‌ସରେ ବର୍ଷା ହେଲେ ଜୁନ୍‌ ମାସର କ୍ଷତି ଭରଣା ହେବ ବୋଲି ଆଶା କରାଯାଉଥିଲା ମାତ୍ର ଜୁଲାଇ ମାସ ଚାଲି ଯାଇ ଅଗଷ୍ଟ ୮ ଦିନ ବିତିଯାଇଥିଲେ ମଧ୍ୟ ବର୍ଷାର ନାମଗନ୍ଧ ଦେଖା ଯାଉନାହିଁ।

ଜିଲ୍ଲାରେ ଜୁଲାଇ ମାସ ଶେଷ ସୁଦ୍ଧା ୨୯୭.୦୨ ମିମି ବର୍ଷା ହୋଇଥିବା ରେକର୍ଡ଼ ହୋଇଛି। ଜିଲ୍ଲାରେ ଜୁଲାଇ ମାସର ସାଧାରଣ ବୃଷ୍ଟିପାତ ହାର ୩୮୫.୮ ମିମି ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ୮୮ ମିମି କମ୍‌ ବର୍ଷା ହୋଇଛି।  ଜୁଲାଇ ମାସରେ ଜିଲ୍ଲାର ୩ ଗୋଟି ସ୍ଥାନରେ ତିନି ଦିନ ହେବି ରେନ୍‌ ହୋଇଛି। ଜୁଲାଇ ୬ ତାରିଖ ଲଇକେରା ଠାରେ ୧୦୧ ମିମି, ଜୁଲାଇ ୭ ରେ କୋଲାବିରାରେ ୭୫.୨ ମିମି ଏବଂ ଜୁଲାଇ ୧୪ ତାରିଖ ଦିନ ଝାରସୁଗୁଡ଼ା ଠାରେ ୭୦ ମିମି ବର୍ଷା ହୋଇଛି।

ଷ୍ଟାଣ୍ଡର୍ଡ଼ ରେନ୍‌ଫଲ୍‌ ଅନୁଯାୟୀ ୧ ମିମି ରୁ ୨.୪ ମିମିକୁ ଭେରି ଲାଇଟ୍‌ ରେନ୍, ୨.୫ ରୁ ୭.୫ କୁ ଲାଇଟ୍‌ ରେନ୍‌, ୭.୬ ରୁ ୩୪.୪ କୁ ମଡ଼େରେଟ୍‌ ରେନ୍‌, ୩୪.୫ ରୁ ୬୪. ୪କୁ ରେଦର୍‌ ହେବିରେନ୍‌, ୬୪.୫ ରୁ ୧୨୪.୪ କୁ ହେବି ରେନ୍‌ ଓ ୧୨୪.୫ ମିମିରୁ ଅଧିକ ବର୍ଷାକୁ  ଭେରି ହେବି ରେନ୍‌ କୁହାଯାଇଥାଏ। ଏହି ନର୍ମ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ଦିବସରେ ମୋଟ ୧୧ ଗୋଟି ଭେରି ଲାଇଟ୍‌ ରେନ୍‌, ୨୦ ଗୋଟି ଲାଇଟ୍‌ ରେନ୍‌, ୨୯ ଗୋଟି ମଡ଼େରେଟ୍‌ ରେନ୍‌, ୧୨ ଗୋଟି ରେଦର୍‌ ହେବି ରେନ୍‌ ଓ ୩ ଗୋଟି ହେବି ରେନ୍‌ ରେକର୍ଡ଼ କରାଯାଇଛି। ଜିଲ୍ଲାରେ ଚଳିତ ବର୍ଷା ଋତୁରେ ଭେରି ହେବି ରେନ୍‌ ହୋଇନଥିବା ଜଣାଯାଇଛି।

ଜିଲ୍ଲାର ଝାରସୁଗୁଡ଼ା ବ୍ଲକରେ ଜୁଲାଇ ମାସରେ ୧୬ ଦିନ ବର୍ଷା ହୋଇଥିବା ବେଳେ ଏଥିରେ ମୋଟ ୩୬୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି  କୋଲାବିରାରେ ୧୬ ଦିନ ବର୍ଷାରେ ୩୩୭.୧୦ ମିମି, ଲଇକେରାରେ ୧୪ ଦନ ବର୍ଷାରେ ୨୮୬.୬୦ ମିମି, କର୍ମିରାରେ ୧୩ ଦିନ ବର୍ଷାରେ ୨୭୯.୭୦ ମିମି ଓ ଲଖନପୁର ବ୍ଲକରେ ୧୬ ଦିନ ବର୍ଷାରେ ୨୩୫.୭୦ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଜୁଲାଇ ମାସରେ ଝାରସୁଗୁଡ଼ା ବ୍ଳକରେ ୧ ଦିନ ଭେରି ଲାଇଟ୍‌ ରେନ୍‌, ୪ ଦିନ ଲାଇଟ୍‌ ରେନ୍‌, ୮ ଦିନ ମଡ଼େରେଟ୍‌ ‌ରେନ୍‌, ୨ ଦିନ ରେଦର୍‌ ହେବି ରେନ୍‌ ଓ ଗୋଟିଏ ଦିନ ହେବି ରେନ୍‌ ହୋଇଛି।

କୋଲାବିରା ବ୍ଲକରେ ୬ ଦିନ ଭେରି ଲାଇଟ୍‌ ରେନ୍‌, ୧ ଦିନ ଲାଇଟ୍‌ ରେନ୍‌, ୫ ଦିନ ମଡ଼େରେଟ୍‌ ‌ରେନ୍‌, ୩ ଦିନ ରେଦର୍‌ ହେବି ରେନ୍‌ ଓ ଗୋଟିଏ ଦିନ ହେବି ରେନ୍‌ ହୋଇଛି। ଲଇକେରା ବ୍ଲକରେ ୧ ଦିନ ଭେରି ଲାଇଟ୍‌ ରେନ୍‌, ୬ ଦିନ ଲାଇଟ୍‌ ରେନ୍‌, ୪ ଦିନ ମଡ଼େରେଟ୍‌ ରେନ୍‌, ୨ ଦିନ ରେଦର୍‌ ହେବି ରେନ୍‌ ରେକର୍ଡ଼ କରାଯାଇଛି। କିର୍ମିରା ବ୍ଳକରେ ୨ ଦିନ ଭେରି ଲାଇଟ ରେନ୍‌, ୨ ଦିନ ଲାଇଟ୍‌ ରେନ୍‌,  ୫ ଦିନ ମଡ଼େରେଟ୍‌ ରେନ୍‌ ଓ ୪ ଦିନ ରେଦର ହେବି ରେନ୍‌ ରେକର୍ଡ଼ କରାଯାଇଛି।

ଲଖନପୁର ବ୍ଲକରେ  ୧ ଦିନ ଭେରି ଲାଇଟ୍‌, ୭ ଦିନ ଲାଇଟ୍‌ ରେନ୍, ୭ ଦିନ ମଡ଼େରେଟ୍‌ ରେନ୍‌, ୧ ଦିନ ରେଦର୍‌ ହେବି ରେନ୍‌  ରେକର୍ଡ଼ କରାଯାଇଛି। ଗତ ୨୦୧୮ ଜୁଲାଇ ମାସରେ ସାଧାରଣ ବୃଷ୍ଟିପାତ ଠାରୁ ୩୬ ମିମି ଅଧିକ ଅର୍ଥାତ୍‌ ୪୨୧.୨୪ ମିମି ବର୍ଷା ରେକର୍ଡ଼ କରାଯାଇଥିଲା । ଗତ ବର୍ଷ ଜୁଲାଇ ମାସର ୭୦ ମିମି କମ୍‌ ଅର୍ଥାତ ୩୧୫.୫୬ ମିମି ବୃଷ୍ଟିପାତ ହୋଇଥିଲା।

ସମ୍ବନ୍ଧିତ ଖବର