ବିଶ୍ବାସ କରି ବାଇକ୍‌ରେ ବସିଲା ଅଷ୍ଟମ ଶ୍ରେଣୀ ଛାତ୍ର, ଅପହରଣ କଲେ ଦୁର୍ବୃତ୍ତ

ରାୟଗଡ଼ା: ରାୟଗଡ଼ା ସହରରୁ ଜଣେ ସ୍କୁଲ୍ ଛାତ୍ରଙ୍କୁ ଅପହରଣ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଚେତା ଫେରିବା ପରେ ସୌଭାଗ୍ୟବଶତଃ ଛାତ୍ର ଜଣଙ୍କ ଜଙ୍ଗଲରୁ ଘରକୁ ଫେରି ଆସିଛନ୍ତି। ରାୟଗଡ଼ା ଥାନାରେ ଛାତ୍ରଙ୍କ ଅଭିଭାବକ ଏ ନେଇ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୁଲିସ୍ ଦୁର୍ବୃତ୍ତଙ୍କୁ କାବୁ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସାଇପ୍ରିୟା ନଗରର ଅଷ୍ଟମ ଶ୍ରେଣୀ ଛାତ୍ର ଶୁକ୍ରବାର ଅପରାହଣ୍ ୪ଟାରେ ଟ୍ୟୁସନ ଯିବା ପାଇଁ ଘରୁ ବାହାରିଥିଲା। ଛାତ୍ର ଜଣଙ୍କ ନିଜ ସାଇକେଲରେ ସାଇପ୍ରିୟା ନଗରରୁ ରାଣୀଗୁଡ଼ା ଫାର୍ମ ଅଞ୍ଚଳକୁ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍ ଛକରେ ଥିବା ଶିବ ମନ୍ଦିର ନିକଟରେ ଅଟକାଇଥିଲେ। ଅନ୍ୟ ଜଣେ ବନ୍ଧୁ ଅସୁସ୍ଥ ହୋଇ ପଡିଥିବାରୁ ତାକୁ ଉଠାଇ ବାଇକରେ ବସାଇବା ପାଇଁ ଛାତ୍ରଙ୍କ ସାହାଯ୍ୟ ଲୋଡ଼ିଥିଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ କଥାରେ ବିଶ୍ବାସ କରି ଛାତ୍ର ଜଣଙ୍କ ରାସ୍ତା ଉପରେ ସାଇକେଲ୍ ରଖି ପାଖରେ ଥିବା ନୀଳଗିରି ଜଙ୍ଗଲ ଭିତରକୁ ଯାଇଥିଲେ। ଛାତ୍ର ଜଣଙ୍କ ଜଙ୍ଗଲ ଭିତରକୁ ଯିବା ପରେ ଅସୁସ୍ଥ ଅଭିନୟ କରି ପଡିଥିବା ଦୁର୍ବୃତ୍ତ ଜଣଙ୍କ ଏକ ରୁମାଲରେ ମୁହଁକୁ ଚାପି ଦେଇଥିଲେ। ଫଳରେ ଛାତ୍ର ଜଣଙ୍କ ଅଚେତ ହୋଇ ପଡିଥିଲେ। ଘଟଣାର ୩ ଘଣ୍ଟା ପରେ ସଂଧ୍ୟା ୭ଟାରେ ଛାତ୍ର ଜଣଙ୍କ ଚେତା ଫେରିବା ପରେ ଜଙ୍ଗଲ ଭିତରେ ଥିବା ଜାଣି ଭୟଭୀତ ଅବସ୍ଥାରେ ଦୌଡ଼ି ଆସିଥିଲେ। ସାଇ ଇଣ୍ଟରନ୍ୟାସନାଲ୍ ଛକରେ ପହଞ୍ଚିବା ପରେ ରାସ୍ତା ଉପରେ ସାଇକେଲ୍ ଥିବା ଦେଖି ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ଟ୍ୟୁସନରୁ ଅଧ ଘଣ୍ଟା ବିଳମ୍ବରେ ଛାତ୍ର ଜଣଙ୍କ ଘରକୁ ଫେରିଥିବାରୁ ପରିବାର ଲୋକ ମଧ୍ୟ ବିଚଳିତ ହୋଇ ଏଣେତେଣେ ଖୋଜାଖୋଜି କରୁଥିଲେ। ଅପହରଣ ଉଦ୍ୟମ କରିଥିବା ଦୁଇ ଦୁର୍ବୃତ୍ତ ଓଡ଼ିଆରେ କଥାବାର୍ତ୍ତା କରୁଥିବା ଛାତ୍ର ଜଣଙ୍କ ପ୍ରକାଶ କରିଛନ୍ତି। ଆଜି ସକାଳେ ଛାତ୍ରଙ୍କ ଅଭିଭାବକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର