ସ୍କୁଲ ଛାତ୍ରଙ୍କ ମୃତଦେହ ଗଛ ତଳୁ ଉଦ୍ଧାର ପରେ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି ପରେ ଶବ ଛାଡ଼ିଲେ

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ନିକଟ ଏକ କୁସୁମ ଗଛ ତଳୁ ମଙ୍ଗଳବାର ସକାଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ଘର ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ଗୁମେଡେରା। ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଦୁର୍ଗା ସ୍କୁଲ ହଷ୍ଟେଲରେ ରହୁଥିଲେ। ଗତକାଲି ରାତିରେ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ସେ ନଥିବା ଜଣାପଡ଼ିଥିଲା। ଅନ୍ୟ ଅନ୍ତେବାସୀ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ଆଜି ସକାଳୁ ଛାତ୍ରଙ୍କ ମୃତଦେହ ଗଛତଳେ ପଡ଼ିଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଆସି ତଦନ୍ତ ଚଲାଇଛି। ଛାତ୍ର ଜଣକ ଅପରାହ୍ନରେ ଏକା କୁସୁମ ଖାଇବାକୁ ଯାଇଥିଲେ। କୁସୁମ ଗଛ ଚଢ଼ିଥିବା ବେଳେ ଗଛକୁ ଛୁଇଁ ଯାଇଥିବା ୧୧ କେଭି ଜୀବନ୍ତ ବିଦ୍ୟୁତ ତାର ଝଟକା ଖାଇ ତଳେ ପଡ଼ି ଯାଇଥିଲେ। ସାରା ରାତି ସେଠାରେ ପଡ଼ି ରହିବା ମଧ୍ୟରେ ତାଙ୍କ ପ୍ରାଣ ଚାଲିଯାଇଥିଲା। ଛାତ୍ରଙ୍କ ମୃତ୍ୟୁ ଖବରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ କାକା ଓ ମା’ ଆସି ସ୍କୁଲ କର୍ତ୍ତୃପକ୍ଷ ଓ ଟାଟାପାୱାରର ଅବହେଳା ଯୋଗୁଁ ତାଙ୍କ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଥିଲେ। ଦୁର୍ଗାପ୍ରସାଦ ନିଖୋଜ ଥିବା ଜାଣିବା ପରେ ଶିକ୍ଷକମାନେ ତାକୁ ଖୋଜିବା ନେଇ କୌଣସି ତତ୍ପରତା ପ୍ରକାଶ କରି ନଥିଲେ ଓ ପିଲାମାନଙ୍କୁ ଖୋଜିବାକୁ ପଠାଇଥିବା ଅଭିଯୋଗ ହୋଇଛି।

ସେହିପରି ହଷ୍ଟେଲ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ସୁନ୍ଦରଗଡ଼ରେ ରହୁଥିବା ବେଳେ ସେ ସୋମବାର ଅନୁପସ୍ଥିତ ଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ହଷ୍ଟେଲରେ ରହୁଥିବା ଛାତ୍ର କିପରି ଏକା କୁସୁମ ଖାଇବାକୁ ଗଲା, ଦାୟିତ୍ବରେ ଥିବା ଶିକ୍ଷକମାନେ କିପରି ଜାଣିପାରିଲେ ନାହିଁ, ସାରା ରାତି ପିଲାଟି ନିଖୋଜ ଥିବା ସତ୍ତ୍ବେ ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ କାହିଁକି ସୂଚନା ଦେଇ ନଥିଲେ ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ି ନଥିଲେ। ଅନ୍ୟପଟେ ଗଛକୁ ଛୁଇଁ ବିଦ୍ୟୁତ ତାର ଯାଇଥିଲେ ମଧ୍ୟ ଟାଟାପାୱାର ତାକୁ ହଟାଇବା ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ନେଇ ପ୍ରଶ୍ନ ଉଠିଥିଲା। ଘଟଣାସ୍ଥଳରେ ହେମଗିର ପୁଲିସ ଅଧିକାରୀ ରମାକାନ୍ତ ସାଏ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା, ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କାଙ୍କ ସମେତ ଟାଟାପାୱାରର ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ମୃତକଙ୍କ ପରିବାରକୁ ସ୍କୁଲ ପକ୍ଷରୁ ନଗଦ ୫୦ ହଜାର, ଜିଲ୍ଲା ରେଡକ୍ରସରୁ ୨୦ ହଜାର ଦିଆଯିବା ସହ ବିଦ୍ୟୁତ ବିଭାଗ ୨ ଲକ୍ଷ ଟଙ୍କା ଓ ଜଣକୁ ଚାକିରି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଅବହେଳା କରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ ପରିବାର।

ସମ୍ବନ୍ଧିତ ଖବର