ଜିଲ୍ଲା ପରିଷଦର ୮ମ ସାଧାରଣ ବୈଠକ : କରୋନା ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପରିଷଦର ୮ମ ସାଧାରଣ ବୈଠକ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ ଆଲୋଚନା କରାଯିବା ସହ ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ପାଇଁ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେ୍ଦବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ । କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ, ଟିକାଦାନ ବ୍ୟବସ୍ଥାର ସୁପରିଚାଳନା, କରୋନା କଟକଣାରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । କରୋନା ମହାମାରୀରେ ଯେଉଁ ପିଲାମାନେ ନିଜ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରିବା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ ବୈଠକର ଆଭିମୁଖ୍ୟ ଓ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଚଳିତ ବର୍ଷ ମନରେଗା ଯୋଜନାରେ ଜିଲ୍ଲଶରେ ୩୫ଲକ୍ଷ ୯୮ହଜାର ୯୦୦ ଶ୍ରମଦିବସ ସୃଷ୍ଟି କରାଯିବ ଓ ଏଥିପାଇଁ ଶ୍ରମିକ ବଜେଟ୍ ୧୩୬ କୋଟି ୬୯ଲକ୍ଷ ଟଙ୍କା ଅନୁଦିତ ହୋଇଛି ବୋଲି କହିଥିଲେ । ବର୍ଷାଋତୁରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବୃକ୍ଷରୋପଣ କରାଯିବା ଉପରେ ମତ ପ୍ରକାଶ ପାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର କହିଥିଲେ ଯେ ଜିଲ୍ଲାର ୩୮ଟି ହାଇସ୍କୁଲର ରୂପାନ୍ତରଣ କରାଯିବ । ଏଥିରେ ସ୍କୁଲଗୁଡ଼ିକର ଭିତ୍ତିଭୂମିର ଉନ୍ନତି ଓ ଶୈକ୍ଷିକ ପରିବେଶର ଉନ୍ନତି କରାଯିବ ବୋଲି କହିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଜିଲ୍ଳା ପରିଷଦ ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର