ବ୍ରହ୍ମପୁର: ରାଜନୈତିକ ଶତ୍ରୁତାରୁ ୨୦୧୨ ମସିହା ଫେବ୍ରୁଆରି ମାସରେ ସଂଗଠିତ ବହୁ ଚର୍ଚ୍ଚିତ ରାମ ପାଢ଼ୀ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍‌(ଏଡିଜେ-୩) ଇନ୍ଦୁ ଶର୍ମା ସାକ୍ଷ୍ୟପ୍ରମାଣ ଅଭାବରୁ ୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ପୁଲିସ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିବା ବେଳେ ଅଭିଯୁକ୍ତ କାଳିଆ ରେଡ଼ି ଏବେ ବି ପୁଲିସ ରେକର୍ଡ଼ରେ ଫେରାର ରହିଛି। ମାମଲାରେ ସଂପୃକ୍ତ ଅଭିଯୁକ୍ତ ବନମାଳୀ ପ୍ରଧାନଙ୍କୁ ବାଦ୍‌ ଦେଇ ଅନ୍ୟମାନେ ଜାମିନରେ ମୁକୁଳି ଥିଲେ। ଜାମିନରେ ମୁକୁଳି ଥିବା ତଥା ରାମ ପାଢ଼ୀ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା।

Advertisment

ଆଜି ୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ କରାଯାଇଥିବା ବେଳେ ସେମାନେ ହେଲେ ବନମାଳୀ ପ୍ରଧାନ, ଶରତ ମୁଦୁଲି, ଚନ୍ଦନ ଦେହୁରି, ସନ୍ତୋଷ ମହାନ୍ତି, କଙ୍ଗାରୁ ଭୂୟାଁ, ବଂଶୀ ବିଷୋୟୀ, ସୁଶାନ୍ତ ବିଷୋୟୀ, ମୁରଲୀ ବିଷୋୟୀ ଓ ଯୁଧିଷ୍ଠିର ବିଷୋୟୀ।ରାଜନୈତିକ କାରଣରୁ ଉଭୟ ରାମ ପାଢ଼ୀ ଓ ପ୍ରଦୀପ ବିଷୋୟୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦରୁ ଉଭୟ ହତ୍ୟାକାଣ୍ଡର ଶିକାର ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ୨୦୧୨ ମସିହା ଫେବ୍ରୁଆରି ୨୬ତାରିଖ ଦିନ କୁକୁଡ଼ାଖଣ୍ଡି ପଞ୍ଚାୟତର ବନ୍ଥପଲ୍ଲୀ ଗ୍ରାମର ରାମ ପାଢ଼ୀ ନାମକ ଜଣେ ଯୁବକ ଏକ ବିବାହ ବରଯାତ୍ରୀ ଶୋଭାଯାତ୍ରାରେ ଯାଉଥିଲେ।

ରାତି ପ୍ରାୟ ୧୧ଟା ବେଳେ ପ୍ରଦୀପ ବିଷୋୟୀଙ୍କ ପ୍ରରୋଚନାରେ ତାଙ୍କ ସହଯୋଗୀମାନେ ରାମ ପାଢ଼ୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ପ୍ରକାଶ ଥାଉକି ପଞ୍ଚାୟତ ନିର୍ବାଚନକୁ ନେଇ ଉଭୟ ରାମ ପାଢ଼ୀ ଓ ପ୍ରଦୀପ ବିଷୋୟୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ଦିଗପହଣ୍ଡି ଥାନାରେ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହେଇଥିଲା। ପୁଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ କାଳିଆ ରେଡ଼ି ଫେରାର ରହିଛି। ୧୦ ଅଭିଯୁକ୍ତ ଜାମିନ ପାଇଁ ମୁକୁଳି ଥିବା ଅବସ୍ଥାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଅଦାଲତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।