ଲକଡାଉନ: ଚେନ୍ନାଇରୁ ଲକ୍ଷେ ୬୦ ହଜାର ଟଙ୍କାରେ ଡଙ୍ଗା କିଣି ଗଂଜାମ ଫେରିଲେ ୯ଜଣ ଦାଦନ ଶ୍ରମିକ

ଜଳପଥରେ ୫ ଦିନର ଯାତ୍ରା ଥିଲା ରହସ୍ୟମୟ

ଚିକିଟି/ବ୍ରହ୍ମପୁର: କରୋନା ଭାଇରସ୍ ଯୋଗୁଁ ଦେଶରେ ଗମନାଗମନ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଠପ ହୋଇଯାଇଥିବା ବେଳେ ଗଂଜାମର ୯ ଜଣ ଦାଦନ ଶ୍ରମିକ ଜଳପଥରେ ଚେନ୍ନାଇରୁ ଘରକୁ ଆସିଛନ୍ତି । ଓଡ଼ିଶାର ଏହି ୯ ଜଣ ଦାଦନ ଶ୍ରମିକ ଚେନ୍ନାଇରେ ଲକ୍ଷେ ୬୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ୫ ଦିନ ତଳେ ସେମାନଙ୍କର ଅଭିଯାନ ଆରମ୍ଭ କରିଥିଲେ । ଏମାନଙ୍କ ଯାତ୍ରା ରହସ୍ୟମୟ ଥିଲା । କାରଣ ଜଳପଥରେ ଯାତ୍ରା ସମୟରେ ଏମାନେ ନିଶ୍ଚିତ ଭାବେ ଖାଇବା-ପିଇବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦାଦନ ଶ୍ରମିକମାନେ ହେଲେ କରି ନୁକାରାଜୁ, ହରିଶ୍ଚନ୍ଦ୍ର, ବି ଭେଙ୍କଟେଶ, ଏଲ ଭାସ୍କର ରାଓ, ପି କେଶବ ରାଓ, ଡି ଦେବରାଜୁ, ଏଲ ଗୁରୁମୂର୍ତ୍ତି, ଏଲ ଲିଙ୍ଗରାଜୁ ଓ ବାଇପିଲି ରାବଣ ।

ସୂଚନା ଅନୁସାରେ, ଓଡ଼ିଶାର ଉପରୋକ୍ତ ୯ ଜଣ ଶ୍ରମିକ ଏଠାରେ କାମଧନ୍ଦା ନ ମିଳିବାରୁ କିଛି ମାସ ତଳେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ଏମାନଙ୍କ ସହିତ ଆନ୍ଧ୍ର ପ୍ରଦେଶର ୧୮ ଜଣ ଦାଦନ ମଧ୍ୟ ସାମିଲ ଥିଲେ । ମୋଟ ୨୭ ଜଣ ଶ୍ରମିକ ଚେନ୍ନାଇର ବିଭିନ୍ନ କଳକାରଖାନାରେ କାମ କରୁଥିଲେ । ଗତ ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ ହେବା ପରେ ଦାଦନ ଶ୍ରମିକମାନେ କାମ କରୁଥିବା କାରଖାନା ବନ୍ଦ ହୋଇଯାଇଥିଲା । କାମ ବନ୍ଦ ହୋଇଯିବା ପରେ ହାତରେ ଥିବା ଟଙ୍କା କିଛି ଦିନ ପରେ ଶେଷ ହେବାକୁ ଲାଗିଲା । ଫଳରେ ସେମାନେ ଅନ୍ୟ ଉପାୟ ନ ପାଇ, ଶେଷରେ ଘରକୁ ଫେରିବାକୁ ଚିନ୍ତା କରିଥିଲେ ।

ଅନ୍ୟପଟରେ ଲକଡାଉନ ଥିବାରୁ ବସ, ଟ୍ରେନ ଓ ବିମାନ ସେବା ବନ୍ଦ ଥିବାରୁ ବାଧ୍ୟ ହୋଇ ବଙ୍ଗୋପ ସାଗର କୂଳରେ ଘରକୁ ଫେରିବା ପାଇଁ ଚିନ୍ତା କରିଥିଲେ । ଦାଦନ ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ମସôଜୀବୀ ସଂପ୍ରଦାୟର ହୋଇଥିବାରୁ ଡଙ୍ଗାରେ ଆସିବାକୁ କୌଣସି ଅସୁବିଧା ନଥିଲା ।

ଚେନ୍ନାଇ ଫେରନ୍ତା ଦାଦନ ଶ୍ରମିକମାନେ ଗଂଜାମ ଜିଲ୍ଲାର ଚିକିଟି ବ୍ଲକର ପାତିସୁନାପୁର ଗାଁର ବାସିନ୍ଦା । ଅନ୍ୟମାନେ ହେଲେ ଆନ୍ଧ୍ରପ୍ରଦେଶର ଯୁବକ । ଗଂଜାମ ସୀମା ନିକଟ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟସ୍ଥ ବଙ୍କୁରରେ ଆଜି ସକାଳୁ ୨୭ ଜଣ ଶ୍ରମିକ ପହଞ୍ଚିଥିଲେ । ପାତିସୁନାପୁର ଘାଟରେ ପହଞ୍ଚିବା ପରେ ପୁଲିସ ୫ କିଲୋମିଟର ଦୂରରେ ପୁସ୍ତପୁରଠାରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଛି ।

ସମ୍ବନ୍ଧିତ ଖବର