ତୁଷୁରା/ସୋନପୁର: ବଲାଙ୍ଗୀର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ୯୪ ଲିଟର ଦେଶୀ ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଗୁଡ଼ଭେଲା ବ୍ଲକ କୁରେଭନା ଗ୍ରାମର ଫକିର ଭୋଇଙ୍କଠାରୁ ୧୫ ଲିଟର ଦେଶୀ ମଦ ଜବତ କରିବା ତାଙ୍କୁ ଗିରଫ କରିଥିଲା। ସେହିପରି ତୁଷୁରା ଥାନା ଧାନଘରା ଗ୍ରାମରୁ ଜିତୁ ରଣାଙ୍କଠାରୁ ୧୪ ଲିଟର, ତୁଷୁରା ଥାନା ରତାଖଣ୍ତି ଗ୍ରାମର କ୍ଷୀରସିନ୍ଧୁ ରଣାଙ୍କଠାରୁ ୨୩ ଲିଟର, ତୁଷୁରା ଥାନା ବଡ଼ବାହାଲ ଗ୍ରାମର ଲକ୍ଷ୍ମୀଚରଣ ସାହୁଙ୍କଠାରୁ ୨୦ ଲିଟିର ଓ ଡୁଲେଶ୍ବର ରଣାଙ୍କଠାରୁ ୨୨ ଲିଟର ଦେଶୀ ମଦ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା। ଏନେଇ ପୃଥକ୍ ୫ଟି ମାମଲା ରୁଜୁ କରିବା ସହ ସମସ୍ତଙ୍କୁ ବଲାଙ୍ଗୀର କୋର୍ଟଚାଲାଣ କରାଯାଇଥିବା ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଏଏସ୍‌ଆଇ ମଧୁସୂଦନ ସେଠ, ଡ଼ୁଲେଶ୍ବର କୁମୁରା, କନେଷ୍ଟବଳ ବିଭୂତିଭୂଷଣ ଭୋଇ ଓ ଭୋଜରାଜ ବଢେ଼ଇ, ରଶ୍ମିତା ତରାଇ ପ୍ରମୁଖ ସାମିଲ ଥିଲେ।

Advertisment

ସୋନପୁର ଅବକାରୀ ବିଭାଗ ୪ଟି ପୃଥକ ପୃଥକ ସ୍ଥାନରେ ଚଢ଼ଉ କରି ୭୯ ଲିଟର ମଦ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ସୋନପୁର ଥାନା କଳାପଥର ଗାଁରେ ମକରଧ୍ବଜ ମହେର(୪୨) ରାସ୍ତାରେ ମଦ ଧରି ଆସୁଥିବା ବେଳେ ଚଢ଼ଉ କରାଯାଇ ତା’ ନିକଟରୁ ୨୨ ଲିଟର ଦେଶୀମଦ ଜବତ କରାଯିବା ସହ ତାକୁ ଗିରଫ କରାଯାଇଥିଲା। ସେହିପରି ସମାନ ବେଆଇନ ଭାବେ ଚାଲାଣ କରୁଥିବା ସୋନପୁର ଖଦାଳପଡ଼ାର କପିଳ ଭୋଇ(୩୦) ପାଖରୁ ୨୫ ଲିଟର ଦେଶୀମଦ, ସାଗରପାଲି ଗାଁର ରତନ ସାହୁ (୪୦) ନିକଟରୁ ୧୫ ଲିଟର ଦେଶୀମଦ, ପିପିଲିପାଲି ଗାଁର ମଦନ ଭୋଇ ନିକଟରୁ ୧୭ ଲିଟର ଦେଶୀମଦ ଜବତ କରାଯିବା ସହ ତିନିଜଣଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଏସ୍‌ଆଇ ଶାନ୍ତନୁ ପଟ୍ଟନାୟକ ସୂଚନା ଦେଇଛନ୍ତି।