ରାଇରଙ୍ଗପୁର/ବିଜାତଳା: ୪୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଏକ ଦମ୍ପତି ହଡପ୍ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଗୋପିନାଥପୁର ଗ୍ରାମର ୪୫ ଜଣ ମହିଳା ବିଭିନ୍ନ ବେସରକାରୀ ବ୍ୟାଙ୍କରୁ ଲୋନ୍ ଉଠାଇଥିଲେ । ସମସ୍ତ ଲୋନ୍ ଉଠାଇବା ପାଇଁ ସେହି ଗ୍ରାମର ଏକ ଦମ୍ପତି ଜ୍ୟୋସ୍ନାମଣୀ ସୋରେନ୍ ଓ ତାଙ୍କ ସ୍ୱାମୀ ସୁଶିଲ୍ ସୋରେନ୍ ତାଙ୍କୁ ସହଯୋଗ କରିବା ସହିତ ଚଂଚକତା କରି ୯୦ ଲକ୍ଷ ଟଙ୍କା ମହିଳାଙ୍କ ପାସବୁକ୍ ରୁ ଉଠାଇ ନେଇଥିଲେ । ତେବେ କିଛି ଦିନ ପରେ ବେସରକାରୀ ସଂସ୍ଥା(ଫାଇନାନ୍ସ କମ୍ପାନୀ)ର କର୍ମଚାରୀମାନେ ୪୫ ଜଣ ମହିଳାଙ୍କ ଘରକୁ ଆସି କିସ୍ତି ମାଗିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ଲୋନ୍ ଟଙ୍କା ଚଂଚକତା କରି ଜ୍ୟୋସ୍ନାମଣୀ ହଡପ୍ କରିଛନ୍ତି ।

Advertisment

ସେ ସମ୍ବନ୍ଧରେ ଜ୍ୟୋସ୍ନାମଣୀଙ୍କୁ ମହିଳାମାନେ ପଚାରିବା ପରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେବେ ସେ ଗତ ୫ ଦିନ ହୋଇଗଲା ଗାଁରୁ କୁଆଡେ ଫେରାର୍ ହୋଇଯାଇଛନ୍ତି । ଏପରିକି ତାଙ୍କ ମୋବାଇଲ୍ ମଧ୍ୟ ସୁଇଚ୍ ଅଫ୍ କରି ରଖିଛନ୍ତି । ଏଣୁ ବାଧ୍ୟ ହୋଇ ଆଜି ଗ୍ରାମର ମହିଳା ମଞୁଲତା ମହାନ୍ତ,କାପୁରା ମାର୍ଣ୍ଡି,ମନିଷା ସୋରନ୍,ସୋମବାରୀ ମୁର୍ମୁ,ମାଳତୀ ସୋରେନ୍,ପାଉଁରା ସୋରେନ୍,ପୂର୍ଣିମା ଟୁଡୁ,ଜାଉନା ଟୁଡୁ,ଫୁଲ ଟୁଡୁ,ସାଉରୀ ମୁର୍ମୁ,ସୁଚିତା ହେମ୍ବ୍ରମଙ୍କ ସମେତ ବହୁ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ୪୫ ଜଣ ମହିଳା ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଲୋନ୍ ଟଙ୍କା ଯଥାଶୀଘ୍ର ଫେରସ୍ତ କରିବାକୁ ଦାବି କରିଛନ୍ତି ।