ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର ମୁଖ୍ୟ ରାସ୍ତାରୁ ବାଲିବିଲି ପଞ୍ଚାୟତର ଢିହସାହି ଗ୍ରାମକୁ ମାସେ ତଳେ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଥିଲା। ଦୁଧେଇ ନଦୀ ଉପରେ ସେତୁ ଓ ତାର ସଂଯୋଗ ରାସ୍ତା ମଧ୍ୟ ଶେଷ ହୋଇଥିଲା। ସ୍ବାଧୀନତାର ଦୀର୍ଘବର୍ଷ ପରେ ଗାଁକୁ ରାସ୍ତା ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା।

Advertisment

ଢିହସାହି ଦୁଧେଇ ସେତୁରେ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦୁଇ ପାର୍ଶ୍ବ ସଂଯୋଗ ରାସ୍ତାରେ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ମାତ୍ର ୩୦ ଦିନ ମଧ୍ୟରେ ଏହି ସଂଯୋଗ ରାସ୍ତା ଅସରାଏ ବର୍ଷାରେ ଧୋଇଯାଇଛି। ଏବେ ପୁଣି ଢିହସାହି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି। ସେତୁର ଦୁଇ ପାର୍ଶ୍ବରେ ତଳେ ବାଲିବସ୍ତା ଦେଇ ର' ଠ'ରେ ପିଚୁକାମ ସାରି ଠିକାଦାର ଅର୍ଥ ‌ହାତେଇ ନେଇଛନ୍ତି।

ଅସରାଏ ବର୍ଷାରେ ବାଲି ଧୋଇଯିବାରୁ ପିଚୁ ଦବିଯାଇଛି। ଦୁଇ ପାର୍ଶ୍ବରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପୋଲକୁ ସଂଯୋଗ କରୁଥିବା ଆପ୍ରୋଚ୍ ରାସ୍ତାର ଦୁଇପାର୍ଶ୍ବରେ ତ୍ରୁଟି ଥିବାରୁ ପଥର ପ୍ୟାକିଂ ମଧ୍ୟ ଖସିଯାଇ ନଦୀଗର୍ଭକୁ ଚାଲିଯାଇଛି। ମାଟି ବଦଳରେ ବାଲିରେ ନିର୍ମାଣ କରାଯାଇଥିବା ରାସ୍ତା ବର୍ଷାରେ ଧୋଇ ଯାଉଛି। ଆଗକୁ ଆସୁଥିବା ବର୍ଷା ଋତୁ ତଥା ବନ୍ୟାରେ ତାର ଚିହ୍ନବର୍ଣ୍ଣ ରହିବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଆଜି ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ, ବ୍ଲକ୍‌ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସାମଲ ପ୍ରମୁଖ ପୋଲ ନିକଟରେ ପହଞ୍ଚି ଏହାର ଅନୁଧ୍ୟାନ କରିଥିଲେ। କ୍ଷତିଗ୍ରସ୍ତ ରାସ୍ତାକୁ ଦେଖି ତୁରନ୍ତ ଶ୍ରୀ ମଲ୍ଲିକ ଯାଜପୁର ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ନିମ୍ନମାନର କାମ କରିଥିବା ସଂପୃକ୍ତ ଠିକାଦାର ଓ ଏହାକୁ ପ୍ରୋତ୍ସାହନ ଦେଇଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। କ୍ଷତିଗ୍ରସ୍ତ ରାସ୍ତାର ମରାମତି ପାଇଁ ମଧ୍ୟ ଦାବି କରିଥିଲେ। ନହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଥିଲେ।