ମାଲକାନଗିରି: ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସ୍ଥିତି ସଂଗୀନ ହେବାକୁ ଲାଗିଛି। ଜିଲ୍ଲାର ମାଲକାନଗିରି, କାଲିମେଳା ଏବଂ ପଡିଆ ବ୍ଲକରେ ସବୁଠାରୁ ବେଶୀ ଏଡସ୍ ରୋଗୀ ରହିଥିବା ସୂଚନା ମିଳିଛି। ଯାହାକୁ ନେଇ ଆଇସିଟିସି ବିଭାଗ ପକ୍ଷରୁ ସଚେତନତା ଆରମ୍ଭ କରାଯିବା ସହ ବଢୁଥିବା ଏଡସ୍ ଆକ୍ରାନ୍ତକୁ କମାଇବାକୁ ଚେଷ୍ଟା କରାଯାଉଛି। ପ୍ରତିବର୍ଷ ଏଡସ୍ ଦିବସ ପାଳନ କରାଯାଉଛି ସିନା ଏହାର ଭୟାବହତାକୁ ନେଇ ଲୋକଙ୍କୁ ଭୟ ଜାତ କରାଯାଇପାରୁ ନାହିଁ। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି।

Advertisment

ଗତ ଚାରି ବର୍ଷର ରିପୋର୍ଟକୁ ଦେଖିବା ତେବେ ଆସିଟିସି-୧ରେ ଗତ ୨୦୧୯ରେ ୨୩୯୪ ଜଣଙ୍କର ଏଚଆଇଭି ଟେଷ୍ଟ ହୋଇଥିବା ବେଳେ ସେଥିରୁ ୨୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେହିପରି ୨୦୨୦ରେ ୨୬୦୧ ଜଣଙ୍କର ଏଚଆଇଭି ଟେଷ୍ଟ କରାଯାଇଥିବା ବେଳେ ୧୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ୨୦୨୧ରେ ୪୯୩୩ ଜଣଙ୍କର ଏଚଆଇଭି ଟେଷ୍ଟ ହୋଇଥିବା ବେଳେ ୧୮ ଜଣ ଆକ୍ରାନ୍ତ ହୋଇଥିଲେ। ୨୦୨୨ରେ ଆଜି ୪୮୭୧ ଜଣଙ୍କର ଏଚଆଇଭି ଟେଷ୍ଟ ହୋଇଥିବା ବେଳେ ୨୪ ଜଣ ଆକ୍ରାନ୍ତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶ ଥାଉକି ଆସିଟିସି-୧ ହେଉଛି ବୃଦ୍ଧବୃଦ୍ଧା, ଯୁବକଯୁବତୀ ଏବଂ ଶିଶୁ ମାନଙ୍କୁ ନେଇ ପରୀକ୍ଷା କରାଯାଏ। ଆଉ ଆସିଟିସି-୨ ରେ ଗର୍ଭବତୀ ମହିଳାମାନଙ୍କର ଏଚଆଇଭି ଟେଷ୍ଟ କରାଯାଇଥାଏ। ଆସିଟିସି-୨ରେ ଗତ ୨୦୧୯ରେ ୧୬୫୧ ଜଣ ଗର୍ଭବତୀଙ୍କର ଏଚଆଇଭି ଟେଷ୍ଟ ହୋଇଥିବା ବେଳେ ସେଥିରୁ ଜଣେ ମାତ୍ର ଆକ୍ରାନ୍ତ ହୋଇଥିଲେ। ୨୦୨୦ରେ ୨୨୮୯ ଜଣ ଗର୍ଭବତୀଙ୍କର ଏଚଆଇଭି ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।

୨୦୨୧ରେ ୨୬୮୫ ଜଣ ଗର୍ଭବତୀଙ୍କର ଏଚଆଇଭି ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ୨୦୨୨ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ୨୮୫୪ ଜଣ ଗର୍ଭବତୀଙ୍କର ଏଚଆଇଭି ଟେଷ୍ଟ ହୋଇଥିବା ବେଳେ ମାତ୍ର ଜଣେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆସିଟିସି-୧ରେ ମୋଟ ୮୫ ଜଣ ଏଚଆଇଭି ପଜିଟିଭ ରହିଥିବା ବେଳେ ଆସିଟିସି-୨ରେ ୯ ଜଣ ଏଚଆଇଭି ପୋଜିଟିଭ ରହିଥିବା ଜଣାପଡିଛି।ତେବେ ଏହି ଆକ୍ରାନ୍ତାମାନେ ପ୍ରଶାସନ ତରଫରୁ ମାଗଣାରେ ଔଷଧ ଖାଉଥିବା ଜଣାପଡିଛି।ସମସ୍ତେ କୋରାପୁଟସ୍ଥିତ ମେଡିକାଲରେ ପହଞ୍ଚି ଔଷଧ ସଂଗ୍ରହ କରୁଥିବା ବିଭାଗ କହିଛି। ଏହି ସଂଖ୍ୟାକୁ ଆହୁରି କମାଇବାକୁ ସାଧାରଣରେ ଦାବି ହୋଇଛି।ଆଗାମୀ ଦିନରେ ଜିଲ୍ଲାର ସ୍ଥିତି ଆହୁରି ସଂଗୀନ ହେବାକୁ ଯାଉଥିବା ବେଳେ ଏହାକୁ ଶହେ ପାର ଯେମିତି ନହେବ ସେଥିପ୍ରତି ସ୍ବାସ୍ଥ୍ୟ ବିଭାଗ କାମ କରୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।