ସରକାରୀ କର୍ମସଂସ୍ଥାନ ପାଇଁ ୯ହଜାର ୪୨୦ଜଣ ପଞ୍ଜିକରଣ: ଜଣକୁ ବି ଯାଇନି କଲ୍ ଲେଟର୍

ଜୟପୁର: ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଆଶା ନେଇ ଜୟପୁର ଉପଖଣ୍ଡର ୯୪୨୦ଜଣ ଶିକ୍ଷିତ ଯୁବକ ଓ ଯୁବତୀ କୋରାପୁଟ ଜିଲ୍ଳା ଜୟପୁର ଉପଖଣ୍ଡ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକରଣ କରିଥିଲେ। ଦୀର୍ଘ ୧୦ବର୍ଷ ହେବ ଏମାନେ ପଞ୍ଜିକରଣ କରିଥିବା ବେଳେ ଥରଟିଏ ବି ଜଣକୁ ବି ଯାଇନି କଲ୍ ଲେଟର।

ଶିକ୍ଷା ସହାୟକ, ପୁଲିସ, ଅବକାରୀ କନେଷ୍ଟବଲ ଆଦି ପଦବୀର ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ବିଶେଷ ଭାବେ ବେଶି ମାତ୍ରାରେ ପଞ୍ଜିକରଣ ନଂ ଓ ଏବଂ କର୍ମନିୟୋଜନ କାର୍ଯ୍ୟାଳୟର ପଞ୍ଜିକରଣ କାର୍ଡକୁ ବ୍ୟବହାର କରୁଛନ୍ତି। ନିଯୁକ୍ତି ପାଇବା ସମୟରେ ଉକ୍ତ ପଞ୍ଜିକରଣ ନମ୍ବରକୁ ବ୍ୟବହାର କରାଯାଉଛି। ଗତ ୧୦ବର୍ଷ ହେବ ଏଠାରେ ପଞ୍ଜିକରଣ କରିଥିବା ଶଶିରେଖା ପଟ୍ଟନାୟକ , ୭ବର୍ଷ ହେବ ପଞ୍ଜିକରଣ କରିଥିବା ଜୟନ୍ତି ନାୟକ ଏଠାରୁ କଲ୍ ଲେଟର ପାଇ ନଥିବା କହିଛନ୍ତି।

ଅନ୍ୟ ପକ୍ଷରେ ଉପଖଣ୍ଡର ବହୁ ଶିକ୍ଷିତ ଯୁବକ ଓ ଯୁବତୀ ବେସରକାରୀ ଅନୁଷ୍ଠାନ ଓ ଘରୋଇ ବ୍ୟାଙ୍କ, ସଂସ୍ଥା ଆଦିରେ କାମ କରୁଥିଲେ ହେଁ ସେମାନେ ଏଠାରେ ଆଉ ପଞ୍ଜିକରଣ କରୁ ନାହାନ୍ତି। ୩ବର୍ଷ ମଧ୍ୟରେ ପୁନଃ ନବୀକରଣ ନ କଲେ ଏହାକୁ ବାତିଲ୍ କରାଯାଉଛି। ଏଠାରେ ୯ହଜାର୪୨୦ଜଣ ଶିକ୍ଷିତ ଯୁବକ ଓ ଯୁବତୀ ପଞ୍ଜିକରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୩୧ଜଣ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ଡିପ୍ଲୋମାଧାରୀ, ୫୦୬ଜଣ ଆଇଟିଆଇ, ୩୦ଜଣ ସିଟି ତାଲିମ ଧାରୀ।

ସେଭଳି ଗତ ବର୍ଷକ ମଧ୍ୟରେ ୯୦୦ଜଣ ପଂଜିକରଣ କରିଛନ୍ତି। ଜଣେ ମାତ୍ର କର୍ମଚାରୀଙ୍କ ହାତରେ କାର୍ଯ୍ୟାଳୟଟି ଚାଳିଛି। ତାଙ୍କୁ ପୁଣି ଜିଲ୍ଲା କର୍ମନିୟୋଜନ କାର୍ଯ୍ୟାଳୟରେ ବି ଡ୍ୟୁଟି ଦିଆଯାଇଛି। ବହୁ ସମୟରେ ଗାଁ ଗହଳିରୁ ଆସୁଥିବା ପିଲା ମାନେ ଖର୍ଚ୍ଚାନ୍ତ ହୋଇ ଆସିବା ବେଳେ କାର୍ଯ୍ୟାଳୟ ବନ୍ଦ ରହୁଥିବା ବି ଦେଖିବାକୁ ମିଳିଛି। ପ୍ରତ୍ୟେକ ମାସରେ ହାରାହାରି ୫୦ରୁ ୭୦ଜଣ ପିଲା ପଂଜିକରଣ କରୁଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ସହ ବିଭିନ୍ନ ସରକାରୀ ନିଯୁକ୍ତି ସଂପର୍କୀତ ସୁଚନା ଏବଂ କଲଲେଟର ପହଚିଂବାର ବ୍ୟବସ୍ଥା କାର୍ଯ୍ୟାଳୟ ପକ୍ଷରୁ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର