ସୁନ୍ଦରଗଡ଼: ଶନିବାର ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସଂକ୍ରମିତଙ୍କ ମୃତ୍ୟୁର କିଛି ଘଣ୍ଟା ନଯାଉଣୁ ୩୦ ତାରିଖରେ ପୁଣି ଜଣେ ସଂକ୍ରମିତ ରାଉରକେଲା ଜେପି ହସ୍ପିଟାଲରେ ଆଖି ବୁଜିଛନ୍ତି। ମୃତକମାେନେ ହେଲେ କିଞ୍ଜିରକେଲା ଅଞ୍ଚଳର ୫୦ ବର୍ଷିୟା ମହିଳା କୌଶଲ୍ୟା ମହାନନ୍ଦିଆ ଓ ବାଉରିମୁଣ୍ଡାର ଲିଙ୍ଗ ରୋହିଦାସ। ତୃତୀୟ ଲହରରେ ଏହା ନବମ ମୃତ୍ୟୁ ଓ କେବଳ ଏନଟିପିସି ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏହା ମଧ୍ୟରେ ସୁନ୍ଦରଗଡ଼ର ଟିମ୍ ଶ୍ମଶାନବନ୍ଧୁ ତାଙ୍କ ମହତ୍ତ୍ବପୂର୍ଣ୍ଣ ସେବା ଶବ ସତ୍କାର ଜାରି ରଖି ସମସ୍ତଙ୍କ ମନ ଜିଣିଛନ୍ତି। ସୂଚନାଯୋଗ୍ୟ, କିଞ୍ଜିରକେଲା ଅଞ୍ଚଳର ୫୦ ବର୍ଷିୟା ମହିଳା କୌଶଲ୍ୟା ମହାନନ୍ଦିଆ ଗତ ସୋମବାର ଦିନ ଜ୍ବର ଓ ଥଣ୍ଡା କାଶ ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ଆଣିଥିଲେ। ସେଠାରେ ପରୀକ୍ଷା ପରେ ସେ କୋଭିଡ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତାଙ୍କୁ ତୁରନ୍ତ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଲା ଓ ଶନିବାର ସନ୍ଧ୍ୟାରେ ଅମ୍ଳଜାନ ସ୍ତର ହ୍ରାସ ପାଇ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ସେହିପରି ବାଉରିମୁଣ୍ଡାର ଲିଙ୍ଗ ରୋହିଦାସ କୋଭିଡ୍ ସଂକ୍ରମିତ ହୋଇ ଗୁରୁତର ହେବା ପରେ ତାଙ୍କୁ ୨୯ ତାରିଖ ରାତି ୮ଟାରେ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲେ ମଧ୍ୟ ରବିବାର ପ୍ରତ୍ୟୁଷ ୩ଟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁଇ ମୃତକଙ୍କ ଶବକୁ ଟିମ ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ସହ ଶିଶିର କୁମାର ବେହେରା, କମଲେଶ ନଥାନୀ, ମନୋଜ କୁମାର ତ୍ରିପାଠୀ, ଚିଣ୍ଟୁ ରକ୍ସା ଓ ଦେବେନ ସାହୁ ପ୍ରମୁଖ ରାଣୀବଗିଚା ସ୍ବର୍ଗଦ୍ବାରରେ ହିନ୍ଦୁ ରୀତିନୀତିରେ ସତ୍କାର କରିଥିଲେ।