ମୋବାଇଲ୍ ହଜିଲେ ହୋଇପାରନ୍ତି ଠକେଇର ଶିକାର

ସମ୍ବଲପୁର: ମୋବାଇଲ ଯଦି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଆପଣ ନିଶ୍ଚିତ ଭାବେ ଚିନ୍ତାରେ ପଡ଼ି ଯାଉଥିବେ। ବଢ଼ୁଥିବା ସାଇବର ଠକେଇ ଓ ଅପରାଧ ମନରେ ଭୟ ସୃଷ୍ଟି କରିବା ସ୍ବାଭାବିକ। କାରଣ ବର୍ତ୍ତମାନ ଅପରାଧ ଘଟାଇବା ଲକ୍ଷ୍ୟ ନେଇ କିମ୍ବା ସାଇବର୍‌ ଠକେଇ କରିବା ପାଇଁ ମୋବାଇଲ ଲୁଟ୍‌ ଓ ଚୋରି ହେଉଥିବା ଦେଖିବାକୁ ମିଳିଛି। ନିକଟରେ ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ମୋବାଇଲ୍‌ ଚୋରି କରି ଆକାଉଣ୍ଟ ଖାଲି କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଦେଶରେ ଏଭଳି ମାଳମାଳ ଘଟଣା ଦେଖିବାକୁ ମିଳିଛି।

ତାପରେ ମୋବାଇଲ୍‌ରେ ଅନେକ ଗୋପନୀୟ ତଥ୍ୟ, ଫଟୋ, ଭିଡିଓ ଆଦି ମଧ୍ୟ ଥାଏ। ଯାହା ଲୋକଙ୍କ ଅଧିକ ଭୟଭୀତ କରିଥାଏ। ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ଏସବୁରୁ ବଞ୍ଚିବା ପାଇଁ ସଚେତନ ହୋଇ ମୋବାଇଲ୍‌ ହଜିବା ବା ଚୋରି ହେବା ପରେ ତୁରନ୍ତ ଥାନାରେ ଅଭିଯୋଗ କରବା ପରେ ମୋବାଇଲକୁ ଯଥାଶୀଘ୍ର ସମ୍ଭବ ବ୍ଲକ କରିବା ଆବଶ୍ୟକ। ସିଇଆଇଆର୍‌ ୱେବ୍‌ସାଇଟ୍‌କୁ ଯାଇ ଆପଣ ମୋବାଇଲ୍‌କୁ ବ୍ଲକ କରିପାରିବେ। ଓଡ଼ିଶା ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏ ନେଇ ଲୋକଙ୍କୁ ସଚେତନ କରାଯାଉଛି।

କେମିତି କରିବେ ମୋବାଇଲ ବ୍ଲକ

ଯଦି ଆପଣଙ୍କ ମୋବାଇଲ ହଜିଯାଏ, କିମ୍ବା ଚୋରି ହୋଇଯାଏ, ତେବେ ceir.sancharsaathi.gov.in/Home/index.jsp ଲିଙ୍କ୍‌ରେ ଯାଇ ମୋବାଇଲକୁ ବ୍ଲକ୍ କରିପାରିବେ। ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ ସାଇବର ଠକେଇରୁ ରକ୍ଷା କରିପାରେ। ଲିଙ୍କ୍‌କୁ ଗଲେ ଆପଣଙ୍କୁ ହଜିଥିବା ମୋବାଇଲ ବ୍ଲକ କରିବା ସହ ମିଳିବା ପରେ ଅନ୍‌ବ୍ଲକ କରିବାର ଅପସନ୍‌ ମିଳିବ। ତା ସହିତ ଆପଣ ମୋବାଇଲ୍‌ର ଷ୍ଟାଟସ୍‌ ମଧ୍ୟ ଜାଣିବା ପାଇଁ ଏକ ଅପସନ୍‌ ପାଇବେ। ବ୍ଲକ୍‌ ଅପସନ୍‌ କ୍ଲିକ୍‌ କରିବା ପରେ ଆପଣଙ୍କୁ ଅନଲାଇନ୍‌ରେ ଏକ ଫର୍ମ ପୂରଣ କରିବାକୁ ପଡିବ।

ଉକ୍ତ ଫର୍ମରେ ମୋବାଇଲ୍‌ ଫୋନରେ ପଡ଼ିଥିବା ମୋବାଇଲ ନମ୍ବର(ଡୁଆଲ ସିମ୍‌ ହୋଇଥିଲେ ୨ଟି ନମ୍ବର) ସହ ଆଇଏମଇଆଇ ନମ୍ବର, ମୋବାଇଲର ବ୍ରାଣ୍ଡ ମଡେଲ ସୂଚନା ଦେବା ସହିତ ମୋବାଇଲ କିଣିବାର ବିଲ୍‌ ଅପଲୋଡ୍‌ କରିବାକୁ ପଡ଼ିବ। ତା ସହିତ ମୋବାଇଲ ହଜିଥିବା ସ୍ଥାନ ବା ଚୋରି ହୋଇଥିବା ସ୍ଥାନ, ତାରିଖ, ଥାନାରେ ଅଭିଯୋଗ କରିବା ପରେ ମିଳିଥିବା ମାମଲା ସଂଖ୍ୟା ଦେବା ସହ ମାମଲାର ଫଟୋକପି ଅପଲୋଡ୍‌ କରିବାକୁ ପଡ଼ିବ। ଦୂରସଞ୍ଚାର ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ୱେବସାଇଟ୍‌ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୫,୪୭,୮୧୮ଟି ମୋବାଇଲ ବ୍ଲକ କରାଯାଇଥିବା ବେଳେ ୨,୫୭,୦୫୧ ଟି ଟ୍ରେସ୍‌ ହୋଇଛି।

ସମ୍ବନ୍ଧିତ ଖବର