ଫୁଲବାଣୀ: ପରକୀୟା ପ୍ରୀତିର କରୁଣ ପରିଣତି। ପ୍ରେମିକ ସହ ମିଶି ନିଜ ଜନ୍ମକଲା ତିନିବର୍ଷର ଶିଶୁପୁତ୍ରକୁ ହତ୍ୟା କଲା ମା’। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁସାରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗ୍ରାମର ବିନିତା ସ୍ବାଇଁ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଙ୍ଗିରାସିଂ ଗ୍ରାମର ରାଜକିଶୋର ପ୍ରଧାନଙ୍କୁ ବିବାହ କରିଥିଲେ। ସେମାନଙ୍କ ଏକ ୩ ବର୍ଷର ପୁଅ ଥିଲା। ତେବେ ଏହାମଧ୍ୟରେ ବିନିତା ଓ ଫିରିଙ୍ଗିଆ ଗ୍ରାମର ଚନ୍ଦ୍ରଶେଖର ପ୍ରଧାନ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। କିଛିଦିନ ତଳେ ବିନିତା ତାଙ୍କ ପୁଅକୁ ଧରି ପ୍ରେମିକ ଚନ୍ଦ୍ରଶେଖର ସହ ଫେରାର୍ ହୋଇଯାଇଥିଲେ। ଚନ୍ଦ୍ରଶେଖର ଓ ବିନିତା ଫିରିଙ୍ଗିଆ ଆସି ରହୁଥିଲେ। ଏହାଜାଣିବା ପରେ ରାଜକିଶୋର ପତ୍ନୀ ଓ ପୁଅକୁ ନିଜ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ଗତ ୪ ତାରିଖରେ ହଠାତ୍ ବିନିତା ତାଙ୍କ ପୁଅକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା। ତେବେ ବିନିତା ଏହି ବିଷୟରେ ସ୍ବାମୀ ରାଜକିଶୋରଙ୍କୁ ନଜଣାଇ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତାତରେ ପୁଅର ଶବକୁ ଅନ୍ତିମ ସତ୍କାର କରିଥିଲେ। ବିନିତା ଏବଂ ତାଙ୍କ ପ୍ରେମିକ ଚନ୍ଦ୍ରଶେଖର ପ୍ରଧାନ ମିଶି ଶିଶୁପୁତ୍ରକୁ ହତ୍ୟା କରିଛନ୍ତି ବୋଲି ରାଜକିଶୋର ଫୁଲବାଣୀ ଟାଉନ୍ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୭୫ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ବିନିତା ଏବଂ ପ୍ରେମିକ ଚନ୍ଦ୍ରଶେଖରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ୍ ଥାନାଧିକାରୀ ଅଶୋକ ଗିରି ସୂଚନା ଦେଇଛନ୍ତି।