ଉଦୟପୁର(ହରିପଦ ସାହୁ): ରାଜ୍ୟରେ ଅନେକ ସିମେନା ହଲ୍‌ ଥିଲା। ଯେଉଁଠି ମନୋରଂଜନ ପାଇଁ ଦର୍ଶକମାନେ ଭିଡ଼ ଜମାଉଥିଲେ। ଚଳଚ୍ଚିତ୍ର ଦେଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆସିଯାଇଥିବା ଯୋଗୁଁ ଏବେ ସେହି ସିନେମା ହଲ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଦେଉଳାଠାରେ ଥିବା ‘ଏପି ଚିତ୍ରମନ୍ଦିର’ ମଧ୍ୟ ଆଉ ଚାଲୁନି। ଏହାର ସତ୍ତା ଧୀରେ ଧୀରେ ହଜିଯାଇଛି। ତଥାପି ସିନେମା ହଲ୍‌ଟିର ସ୍ବର୍ଣ୍ଣିମ ଦିନ ସବୁ ଅନେକଙ୍କ ମନକୁ ଏବେ ବି ଆନ୍ଦୋଳିତ କରେ।

Advertisment

୧୯୭୨ ମସିହା ଜୁନ୍‌ ୯ ତାରିଖରେ ଜନ୍ମ ନେଇଥିଲା ଏପି ଚିତ୍ରମନ୍ଦିର। ତତ୍‌କାଳୀନ ସ୍ଥାନୀୟ ବଜାର କମିଟି ସଭାପତି ଦିବଂଗତ ରାଧାଶ୍ୟାମ ଜେନା, ଦିବଂଗତ ଜୟନାରାୟଣ ସାହୁ ଏବଂ ବୃନ୍ଦାବନ ଦାସ ଏହି ପ୍ରତିଷ୍ଠାନ ଗଢ଼ିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ ପାନିପରୁଲଠାରୁ ଆରମ୍ଭ କରି ନାମ୍ପୋ, କୀର୍ତ୍ତନିଆ, କାଳୀପଦାରୁ ଲୋକେ ସିନେମା ଦେଖିବା ପାଇଁ ଏଠାକୁ ଆସୁଥିଲେ। ପ୍ରବଳ ଭିଡ଼ ହେଉଥିଲା। ଟିକେଟ୍‌ ବ୍ଲାକ୍‌ରେ ବିକ୍ରି ହେଉଥିଲା। ଅନେକ ଦର୍ଶକ ଟିକେଟ୍‌ ନପାଇ ନିରାଶ ହେଉଥିଲେ ଏବଂ ଘରକୁ ଫେରିଯାଉଥିଲେ। ତତ୍‌କାଳୀନ ପରିଚାଳକ ମଣ୍ଟୁ ମହାନ୍ତିଙ୍କ କହିବା ଅନୁସାରେ ଏପି ଚିତ୍ରମନ୍ଦିରରେ ଦର୍ଶକମାନେ ଅନେକ ସୁପରହିଟ୍ ହିନ୍ଦୀ ସହ ଓଡ଼ିଆ ସିନେମା ଦେଖିବାର ସୁଯୋଗ ପାଇଛନ୍ତି। ସିନେମାଗୁଡ଼ିକର ଏତେ ଚାହିଦା ରହୁଥିଲା ଯେ ସେଗୁଡ଼ିକ ମଧ୍ୟରୁ ଅନେକ ସିନେମା ଦୀର୍ଘଦିନ ଧରି ପରିବେଷିତ ହେଉଥିଲା। ସେହିପରି ସିନେମାଗୁଡ଼ିକ ମଧ୍ୟରେ ରହିଛି ମମତାର ଡୋରି, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଟୋପାଏ ସିନ୍ଦୂର ଦି’ପଟ ଶଙ୍ଖା, ଠାକୁର ଅଛନ୍ତି ଚଉବାହାକୁ, ଜୋର୍ ଜାର୍‌ ମୁଲକ ତାର, ମନ ରହିଗଲା ତୁମରିଠାରେ, ଯଶୋଦା, ଗୋପରେ ବଢ଼ୁଛି କଳାକହ୍ନେଇ, କୃଷ୍ଣାକାବେରୀ, ସାବିତ୍ରୀ ଇତ୍ୟାଦି।

୧୦୦ ଦିନ ପରିବେଷିତ ହୋଇଥିବା ସିନେମାଗୁଡ଼ିକ ମଧ୍ୟରେ ରହିଛି ଗଙ୍ଗାଯମୁନା, ସୁହାଗ ସିନ୍ଦୂର, ଲକ୍ଷ୍ମୀପ୍ରତିମା, ପୁଅ ମୋର ଭୋଳାଶଙ୍କର, କଣ୍ଢେଇ ଆଖିରେ ଲୁହ, କି ହେବ ଶୁଆ ପୋଷିଲେ, ସୁନାପଞ୍ଜୁରି, ନାରୀ ନୁହେଁ ତୁ ନାରାୟଣୀ, ସିନ୍ଦୂର ନୁହେଁ ଖେଳଘର, ମୋ କୋଳ ତୋ ଝୁଲଣା ଇତ୍ୟାଦି। ତେବେ ସବୁଠାରୁ ରୋଚକ କଥା ହେଉଛି ମୋ କୋଳ ତୋ ଝୁଲଣା ସିନେମାଟି ବ୍ୟବସାୟିକ ଦୃଷ୍ଟିକୋଣରୁ ଏପି ଚିତ୍ରମନ୍ଦିର​ରେ ସେତେବେଳେ ରେକର୍ଡ ବ୍ୟବସାୟ କରିଥିଲା। ଏହା ୧୩୨ ଦିନ ଧରି ପ୍ରଦର୍ଶିତ ହୋଇଥିଲା। ୧୯୭୨ ମସିହାରେ ଏଠାରେ ସ୍ବତନ୍ତ୍ର ଟିକେଟ୍‌ର ଦାମ ୧ ଟଙ୍କା ୫୦ ପଇସା ଥିଲା। ସେହିପରି ପ୍ରଥମ ଶ୍ରେଣୀ ଟିକେଟ୍‌ର ଦାମ ୧ ଟଙ୍କା, ଦ୍ବିତୀୟ ଶ୍ରେଣୀ ଟିକେଟ୍‌ର ଦାମ ୫୦ ପଇସା ଏବଂ ତୃତୀୟ ଶ୍ରେଣୀ ଟିକେଟ୍‌ର ଦାମ ୩୦ ପଇସା ଥିଲା।

ତେବେ ପରେ ବଜାରଦର ଅନୁସାରେ ଟିକେଟ୍‌ ଦର ମଧ୍ୟ କ୍ରମାଗତ ବୃଦ୍ଧି ପାଇଥିଲା। ୨୦୦୯ ମସିହା ବେଳକୁ ସ୍ବତନ୍ତ୍ର ଟିକଟର ଦାମ ୩୦ ଟଙ୍କା ଥିଲା। ସେହିପରି ପ୍ରଥମ ଶ୍ରେଣୀ ଟିକଟର ଦାମ ୨୦ ଟଙ୍କା, ଦ୍ବିତୀୟ ଶ୍ରେଣୀ ଟିକେଟ୍‌ର ଦାମ ୧୫ ଟଙ୍କା ଏବଂ ତୃତୀୟ ଶ୍ରେଣୀ ଟିକେଟ୍‌ର ଦାମ ୧୦ ଟଙ୍କା ରହିଥିଲା। ଅନ୍ୟପଟେ କିଛି ବ୍ୟବସାୟୀ ମଧ୍ୟ ଏହି ସିନେମା ହଲ୍‌ ପାଇଁ ରୋଜଗାର ପାଇଥିଲେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେତେବେଳେ ଏପି ଚିତ୍ରମନ୍ଦିର ଯୋଗୁଁ ପ୍ରାୟ ୫୦ ଜଣରୁ ଅଧିକ ଲୋକଙ୍କ ପରିବାର ଚଳୁଥିଲା। ତେବେ ସିନେମା ଦେଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆସିଥିବା ଯୋଗୁଁ ସିନେମା ଶିଳ୍ପ ପ୍ରଭାବିତ ହେଲା। ଲାଭ ନମିଳିବାରୁ ଏପି ଚିତ୍ରାଳୟଟି କ୍ଷତିରେ ଚାଲିଲା। ଶେଷରେ ୨୦୧୧ ମସିହାରେ ଏହା ବନ୍ଦ ହୋଇଗଲା। ତା’ର ସତ୍ତା ଧୀରେ ଧୀରେ ହଜିଯାଇଛି। ତଥାପି ସିନେମା ହଲ୍‌ଟିର ସ୍ବର୍ଣ୍ଣିମ ଦିନ ସବୁ ଅନେକଙ୍କ ମନକୁ ଏବେ ବି ଆନ୍ଦୋଳିତ କରୁଛି। ରଜନୀ ଦାସଙ୍କ ଚା’ ଦୋକାନରେ ପଡ଼ିଥିବା ଏପି ଚିତ୍ରମନ୍ଦିରର କିଛି ଚେୟାର୍‌ ସତେ ଯେମିତି କହୁଛନ୍ତି, ଆସ ଆସ ସିନେମା ଆରମ୍ଭ ହୋଇଗଲାଣି।