ରାୟଗଡ଼ା: ସ୍ବାଧୀନତାର ୭୫ ବର୍ଷ ପରେ ବି ଗାଁକୁ ନାହିଁ ପକ୍କା ରାସ୍ତା। ବିଶୁଦ୍ଧ ପାନୀୟ ଜଳ ପାଇଁ ନଳକୂପଟିଏ ନଥିବା ବେଳେ ପିଲାଙ୍କ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ମଧ୍ୟ ପ୍ରତିଷ୍ଠା ହୋଇନି। ଭଲ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ସମେତ ରୋଗୀଙ୍କୁ ଭାରରେ ବୁହା ହେବାକୁ ପଡୁଛି। ରାୟଗଡ଼ା ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପାଙ୍ଗାବାଇ ଓ ମିରାବାଲି ପଞ୍ଚାୟତର ସାନ୍ଧୁବାଡ଼ିକୁ ବିକାଶ ଅପହଞ୍ଚ ଥିବାରୁ ଉଭୟ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ଗାଁର ବିକାଶ ଦିଗରେ ସରକାରୀ ଅଧିକାରୀ ଦୃଷ୍ଟି ଦେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି। ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ତୁରନ୍ତ ଉଭୟ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛି ଦଳ।

Advertisment

ନିର୍ବାଚନ ସମୟରେ ନେତା ମାନେ ଗାଁକୁ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ନେଉଥିବା ବେଳେ ପରେ ଆଉ ଦେଖା ଦେଉନଥିବା ଆପ୍ ଅଭିଯୋଗ କରିଛି। ଆସନ୍ତା ୧ ମାସ ମଧ୍ୟରେ ବ୍ଲକ କର୍ତ୍ତୃପକ୍ଷ ଉଭୟ ଗାଁରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନ ନେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଆପ୍ ଚେତାବନୀ ଦେଇଛନ୍ତି। ଆମ ଆଦମୀ ପାର୍ଟିର ରାୟଗଡ଼ା ମହିଳା ସଭାନେତ୍ରୀ ସୁଚିତ୍ରା ପାଇକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ତଥା ମୁଖପାତ୍ର (ଓଡ଼ିଶା) ଜନ୍ମେଜୟ ସ୍ବାଇଁ, ଯୁବ ସଂଗଠକ ଜିତେନ୍ଦ୍ର ସେନାପତି, ସନ୍ତୋଷ ପାଇକ, ରାମ ନାୟକ, ହେମନ୍ତ ଖୋସଲା, ନଗର ସଂଗଠକ ରବୀନ୍ଦ୍ର ସାହୁ, ଲଳିତ ମୋହନ ଜେନା, ଉମାଚରଣ ଗୌଡ, ପ୍ରବୀଣ ନାୟକ, ଅଭିମନ୍ୟୁ ବେହେରା, ଅନନ୍ତ ଶଗଡିଆ, ମହିଳା ସଂଗଠିକା ମଧୁସ୍ମିତା ପାଇକ, ବିଷ୍ଣୁପ୍ରିୟା ଝୋଡିଆ ପ୍ରମୁଖ ସାମିଲ୍ ହୋଇଥିଲେ।