ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଏବଂ ନେହେରୁ ଯୁବ କେନ୍ଦ୍ର ତରଫରୁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଞ୍ଚଳରୁ ୭୦ ଜଣ ଆଦିବାସୀ ଯୁବକ ଯୁବତୀ ଝାରଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଆୟୋଜିତ ଜାତୀୟସ୍ତରୀୟ ଯୁବ ଆଦିବାସୀ ଆମୋଦ ପ୍ରୋମଦ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ତରଫରୁ ବଛା ବଛା ଆଦିବାସୀ ଯୁବକଯୁବତୀ ମାନଙ୍କୁ ଚିହ୍ନଟ କରାଯାଇ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବା ପରେ ଏକ ବିଏସଏଫ ଟିମ ସହ ଏହି ଆଦିବାସୀ ଯୁବକଯୁବତୀ ରାଞ୍ଚି ଗସ୍ତ କରିଥିଲେ। ଚଳିତମାସ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ଏହି ଆଦିବାସୀ ଯୁବକଯୁବତୀ ମାନେ ରାଜ୍ୟର ରାଜ୍ୟପାଳ ସମେତ ସମସ୍ତ ମନ୍ତ୍ରୀ, ଖେଳାଳୀ, ସିନେ ତାରକା ସମେତ ବିଭିନ୍ନ ସାଂସ୍କୃତିକ ସ୍ଥାନ ମଧ୍ୟ ବୁଲି ଦେଖିବେ।
ଏହି ଯୁବକଯୁବତୀ ମାନଙ୍କୁ ବିଭିନ୍ନ ଆତ୍ମନିର୍ଭରଶୀଳ ବ୍ୟବସାୟ ଉପରେ ମଧ୍ୟ ତାଲିମ ପ୍ରଦାନ କରାଯିବ। ବାହାର ରାଜ୍ୟରୁ ଆସିଥିବା ଆଦିବାସୀ ଯୁବକଯୁବତୀ ମାନଙ୍କ ସହ ମିଶି ଭାବ ଆଦାନ ପ୍ରଦାନ ମଧ୍ୟ କରିବେ। ରାଜ୍ୟର ମୁଖ୍ୟ ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଏହି ସାତ ଦିନିଆ କାର୍ଯ୍ୟକ୍ରମରେ ଏମାନେ ବହୁ ବିଷୟରେ ଶିକ୍ଷା ଲାଭ କରିବେ ବୋଲି କୁହାଯାଇଛି। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ସଞ୍ଜୟ ସିଂହ ଉପସ୍ଥିତ ରହି ସମସ୍ତ ଯୁବକଯୁବତୀଙ୍କୁ ଉତ୍ସାହିତ କରିବା ସହ ଗସ୍ତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ଏମାନଙ୍କୁ ନେଇ ଯାଉଥିବା ବସଟିକୁ ସବୁଜ ପତାକା ଦେଖାଇ ବିଦା କରିଥିଲେ। ତେବେ ବିଏସଏଫ ଏବଂ ନେହେରୁ ଯୁବ କେନ୍ଦ୍ରର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଓ ନକ୍ସଲ ପ୍ରବଣ ଜିଲ୍ଲାରେ ଆଦିବାସୀ ଯୁବକଯୁବତୀ ମାନେ ନକ୍ସଲଙ୍କ ପ୍ରଲୋଭନରେ ପଡି ବିପଥଗାମୀ ହେଉଛନ୍ତି। ତେଣୁ ଏମାନଙ୍କୁ ଆଗକୁ ବଢିବା ପାଇଁ ଏହା ଗୋଟିଏ ପ୍ରୟାସ ବୋଲି କୁହାଯାଇଛି। ଏହି ଗସ୍ତ ସେମାନଙ୍କର ଜୀବନ ବଦଳାଇବାରେ ସହାୟକ ହେବ ବୋଲି ମଧ୍ୟ କୁହାଯାଇଛି।