ଗରଦପୁର: ଗରିବଙ୍କ ପାଇଁ ସରକାରଙ୍କ ଆବାସ ଯୋଜନା ଗରଦପୁରରେ ପ୍ରହସନ ପାଲଟିଛି। ଏହି ବ୍ଲକ୍ରେ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ପାରୁ ନ ଥିବା ଅଭିଯୋଗ ଲଗାତର ହୋଇଆସୁଛି। ଏଭଳି ଘଟଣା ପାଟକୁରା ମୁସଲିମ ବସ୍ତିରେ ନଜରକୁ ଆସିଛି। ରେସ୍ମା ବିବିଙ୍କ ପରିବାର ଭଙ୍ଗା ଘରେ ପଡ଼ିଛନ୍ତି। ସେମାନଙ୍କୁ ସରକାରୀ ଆବାସ ଖଣ୍ଡିଏ ମିଳି ପାରିନାହିଁ। ସ୍ବାମୀ ସେକ୍ କଇମ୍ ଓ ୩ ପିଲାଙ୍କୁ ନେଇ ରେସ୍ମାଙ୍କ ଅଭାବୀ ସଂସାର। ଜମିବାଡ଼ି ବୋଲି ଗୁଣ୍ଠେ ନାହିଁ। କେବଳ ୪ ଡ଼ିସିମିଲି ଜମିରେ ଚାଳ ଛପର ଘରଟିଏ କରି ସେଥିରେ ମୁଣ୍ତ ଗୁଂଜିଛନ୍ତି ଏହି ପରିବାର। ଛୋଟିଆ ଚିକେନ୍ ଦୋକାନ କରି ପରିବାର ପୋଷୁଛନ୍ତି କଇମ୍। ସରକାରଙ୍କ ଆବାସ ଯୋଜନାରୁ ଏହି ପରିବାର ବଂଚିତ ଅଛନ୍ତି। ଆବାସ ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ରେସମା ଏକାଧିକ ଥର ଆପତ୍ତି କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ତାଙ୍କ ପାଇଁ ସାତସପନ ପାଲଟିଲାଣି। ପୂର୍ବରୁ ସରକାରୀ ଅଧିକାରୀମାନେ ମିଳିତ ଟିମ୍ ମାଧ୍ୟମରେ ଏକାଧିକ ଥର ସର୍ଭେ ଓ ଯାଂଚ କରିଛନ୍ତି। ଆବାସ ମିଳିବ ବୋଲି ତାଙ୍କୁ ସବୁଥରକ ପ୍ରତିଶ୍ରୃତି ଦେଇଛନ୍ତି। କିନ୍ତୁ ପ୍ରତିଶ୍ରୃତି ପାଣିର ଗାର ସଦୃଶ ହୋଇଛି। ୨୦୧୧ ମସିହା ଅର୍ଥ ନୈତିକ ଜାତିଗତ ଜନଗଣନା ରିପୋର୍ଟ ବା ଗ୍ରାମୀଣ ଏସ୍ଇସିସି ଚିଠା ତାଲିକାରେ ରେସମାଙ୍କ ୩-୧ କାଟେଗୋରିରେ ସ୍ଥାନ ପାଇଛି।
ଯାହାକି ଅତ୍ୟନ୍ତ ନିମ୍ନମାନର ଏକ ବଖରା ବିଶିଷ୍ଟ ଚାଳ ଛପର ଘରେ ଥିବା ରିପୋର୍ଟ କହୁଛି। ଅର୍ଥାତ୍ ଆବାସ ଯୋଜନାରେ ସାମିଲ ହେବାକୁ ସରକାର ଧାର୍ଯ୍ୟ କରିଥିବା ମାନଦଣ୍ତ ପୂରଣ କରୁଥିବାରୁ ରେସ୍ମା ଘର ପାଇବାକୁ ଯୋଗ୍ୟ। ଅନ୍ୟପଟେ ବ୍ଲକ୍ରେ ଏମିତି ବହୁତ ହିତାଧିକାରୀ ଅଛନ୍ତି ଯେଉଁମାନେ ଏକାଧିକବାର ଆବାସ ଗୃହ ହାତେଇ ନେଇଛନ୍ତି। କିନ୍ତୁ ରେସମାଙ୍କୁ ଆବାସ ଖଣ୍ଡେ ମିଳିପାରିନାହିଁ। ଗତ ୨ ଦିନ ହେଲା ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ବ୍ଲକ୍ ଅଫିସରୁ ପଞ୍ଚାୟତକୁ ଆସିଛି। ହେଲେ ସେହି ତାଲିକାରେ ମଧ୍ୟ ରେସମାଙ୍କ ନାମ ତାଲିକାଭୁକ୍ତ ହୋଇ ନ ଥିବା ଜଣାପଡ଼ିଛି। ଫଳରେ ରେସ୍ମା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆମ ଭଳି ଗରିବମାନେ ଯଦି ଆବାସରୁ ବଂଚିତ ହେବେ ତେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।