ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ବୌଦ୍ଧ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରତି ପଞ୍ଚାୟତ ସ୍ତରରେ ଏହାର ଯାଂଚ କାର୍ଯ୍ୟ ଜାରି ରଖାଯାଇଛି। ଗତ ମାସ ମୋଟ୍ ୨୯ଟି ଅଭିଯୋଗର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି ହେବା ପରେ ଅଭିନବ ଉପାୟରେ ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ଓ ସଂପୂର୍ଣ୍ଣ ଆବାସ ଘରର ବୋନସ୍ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ବୌଦ୍ଧ ବ୍ଲକ୍ର ୧୨ଜଣ ଓ ହରଭଙ୍ଗା ବ୍ଲକ୍ର ୫ଜଣ ମୋଟ୍ ୧୭ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୭ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ହରଭଙ୍ଗା ବ୍ଲକ୍ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଡ ଭାସ୍କର ବାରିକଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଗୁରୁବାର ଡିଆର୍ଡିଏ ପକ୍ଷରୁ ବାତିଲ କରାଯିବା ସହ ଆବାସ (ଗ୍ରାମୀଣ) ପ୍ରୋଜେକ୍ଟ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍ଏଚ୍)ଙ୍କ ଠାରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଥାଉକି, ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଧାର୍ଯ୍ୟ ସମୟ ମଧ୍ୟରେ ଆବାସ ସଂପୂର୍ଣ୍ଣ କରିଥିବା ୪ ଜଣ ହିତାଧିକାରୀଙ୍କ ୨୦ହଜାର ଲେଖାଏଁ ବୋନସ୍ ଟଙ୍କା ଅନ୍ୟମାନଙ୍କ ଆକାଉଣ୍ଟରେ ଜମା କରି ହେରଫେର୍ କରାଯାଇଥିଲା। ଏସଂକ୍ରାନ୍ତରେ ଗତ ନଭେମ୍ବର ୨୦ତାରିଖ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଡିଆର୍ଡିଏ ପକ୍ଷରୁ ଏହାର ଯାଂଚ କରାଯାଇଥିଲା। ସଂସାରୀ ଭୋକ୍ତାଙ୍କ ବୋନସ ଟଙ୍କା ଲାଭାଗିନୀ ପ୍ରଧାନଙ୍କ ଆକାଉଣ୍ଟରେ, ପ୍ରଭାତ ଦେହୁରୀଙ୍କ ବୋନସ ଟଙ୍କା ହରଭଙ୍ଗା ଗାଁର ଜ୍ୟୋତିର୍ମୟୀ ଦାସଙ୍କ ଆକାଉଣ୍ଟରେ, ମୁଟୁରି ଗୁରୁଙ୍କ ବୋନସ ଟଙ୍କା ମନୀଷା ମହାନ୍ତି ଓ ପଦ୍ମ ଚରଣ ବିଶିଙ୍କ ବୋନସ ଟଙ୍କା ଅହଲ୍ୟା ଡାଙ୍ଗଙ୍କ ଆକାଉଣ୍ଟରେ ଜମା କରି ହେର୍ଫେର୍ ହୋଇଥିବା ଧରାପଡ଼ିଥିଲା। ଏଥିରେ ହରଭଙ୍ଗା ବିପିଏ ଭାସ୍କର ବାରିକଙ୍କ ସଂପୃକ୍ତି ସାବ୍ୟସ୍ତ ହେବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ କରାଯାଇଥିଲା। ଆଜି ତାଙ୍କୁ ଚାକିରିରୁ ବିଦା କରିଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଠିକ୍ ସମୟରେ ଆବାସ ଯୋଜନାର ଘର ସଂପୂର୍ଣ୍ଣ କରିବା ସହ ଦୀପାବଳିରେ ଗୃହପ୍ରବେଶ କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ପାଇଁ ହରଭଙ୍ଗା ସମେତ ଜିଲ୍ଲାର ୩ଟି ବ୍ଲକ୍କୁ ରାଜ୍ୟ ସରକାର ପ୍ରଶଂସା ଓ ପୁରସ୍କୃତ କରିଛନ୍ତି। କିନ୍ତୁ ପୂର୍ବ କେଲେଙ୍କାରୀର କଳଙ୍କରୁ ଜିଲ୍ଲା ଏବେ ବି ମୁକ୍ତ ହୋଇପାରିନି।