ଜଗନ୍ନାଥପ୍ରସାଦ: ୧୫ ବର୍ଷ ହେଲା ଖଣ୍ଡିଏ ସରକାରୀ ଆବାସ ପାଇଁ ଗୁହାରି କରି ବାପାମାଆ ଚାଲିଗଲେ। ଆଉ ଏବେ ଅନାଥ ପୁଅ ଦୁଇଭଉଣୀ ସହ ମିଶି ଛଅବର୍ଷ ହେଲା ଏଥିପାଇଁ ସଂଘର୍ଷ ଜାରି ରଖିଛି। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତିକୁ ଛାଡ଼ିଦେଲେ ଆଉ କିଛି ବି ମିଳିନି। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତା’ର ପରିବାରକୁ ସାମିଲ ନକରାଯାଇ ତାଲିକାରୁ ନାମକୁ କାଟିଦିଆଯାଇଛି। ଯାହାକି ଆବାସ ଯୋଜନା କାର୍ଯ୍ୟକାରିତା ସ୍ବଚ୍ଛତା ଉପରେ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ ନୂଆଗୋଚ୍ଛାବାଡ଼ି ଗ୍ରାମରୁ ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ସରକାରୀ ଆବାସ ଖଣ୍ଡିଏ ପାଇବା ପାଇଁ ଅନାଥ ପାଣୁ ଗୌଡ଼ (୨୯) ଓ ତାଙ୍କର ଦୁଇ ଭଉଣୀ ମାମାଲି (୨୪) ଓ ପ୍ରଭାତି (୨୦) ଦୀର୍ଘ ୬ ବର୍ଷ ହେଲା ସଂଘର୍ଷ ଜାରି ରଖିଛନ୍ତି। କେବଳ ଏତିକି ନୁହେଁ, ଦାରିଦ୍ରୢର ତାଡ଼ନା ଏତେମାତ୍ରାରେ ଅସହ୍ୟ ହୋଇଛି ଯେ, ସାନଭଉଣୀ ପ୍ରଭାତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ପଲାଇଛନ୍ତି। ମାମାଲି ଗାଁରେ ମୂଲ ଲାଗି ଭାଇଙ୍କ ସହ ମିଶି ରହୁଛନ୍ତି।
୬ ବର୍ଷ ହେଲା ଦୌଡ଼ୁଛନ୍ତି ତିନି ଅନାଥ ଭାଇଭଉଣୀ
ଥିଲାବାଲାକୁ ଅନୁକମ୍ପା, ନଥିବା ବାଲା ହାତ ଖାଲି
ସ୍ବର୍ଗତ ଘନ ଗୌଡ଼ ଓ ସ୍ବର୍ଗତ ଉଲ୍ଲି ଗୌଡ଼ଙ୍କ ଚାରିଝିଅ ଥିବା ବେଳେ ପାଣୁ ସେମାନଙ୍କ ଏକମାତ୍ର ପୁଅ। ବାପା ଘନ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ କଷ୍ଟେମେଷ୍ଟ ନିଜର କଷ୍ଟାର୍ଜିତ ଆୟକୁ ଖର୍ଚ୍ଚ କରି ଓ ଜମିକୁ ବିକି ଦୁଇଝିଅଙ୍କ ବାହାଘର ସାରିଥିଲେ। ତେବେ ବହୁ ନିବେଦନ ସତ୍ତ୍ବେ ଘନଙ୍କୁ ସରକାରୀ ଆବାସ ଯୋଜନାରେ ହିତାଧିକାରୀ ଭାବେ ସାମିଲ କରାଗଲାନି। ଏଥିପାଇଁ ସେ ଦୀର୍ଘ ୧୫ ବର୍ଷ ଧରି ଉଦ୍ୟମ ଜାରି ରଖିଥିଲେ। କିନ୍ତୁ ଛଅବର୍ଷ ତଳେ ଘନଙ୍କ ପରଲୋକ ଘଟିଥିବା ବେଳେ ଚାରିବର୍ଷ ତଳେ ଉଲ୍ଲି ଆରପାରିକୁ ଚାଲିଗଲେ।
ଫଳରେ ପାଣୁ ଏବଂ ତାଙ୍କର ଦୁଇଭଉଣୀ ଅନାଥ ପାଲଟିଗଲେ। ପରିବାର ପାଇଁ ଦୁଇଓଳା ଦାନା ଯୋଗାଡ଼ କରିବାକୁ ପାଣୁ ଦୁଇଭଉଣୀଙ୍କୁ ଛାଡ଼ି ଦାଦନ ଖଟିବା ଲାଗି ସୁରତ ପଳାଇଥିଲେ। କିନ୍ତୁ ହଠାତ୍ ସେ ବାତରେ ପୀଡ଼ିତ ହେବାରୁ ଗ୍ରାମକୁ ଫେରିଆସିଲେ। ତାଙ୍କ ଚିକିତ୍ସା ପାଇଁ ୧୨ ହାତ ଘରରୁ ୬ ହାତକୁ ଦୁଇଭଉଣୀ ବିକିଦେଲେ। ତଥାପି କୌଣସି ସୁଫଳ ମିଳିଲାନି। ଶେଷରେ ସାନଭଉଣୀ ପ୍ରଭାତି କାମ କରିବା ଲାଗି ଆନ୍ଧ୍ରପ୍ରଦେଶ ପଳାଇଛନ୍ତି। ବର୍ତ୍ତମାନ ପାଣୁ ଏବଂ ମାମାଲି ଝାଟିମାଟି କୁଡ଼ିଆର ଗୋଟିଏ ବଖରାରେ ରହୁଛନ୍ତି। କିନ୍ତୁ ବର୍ଷାଦିନ ଆସିଲେ ଭାଇଭଉଣୀଙ୍କ ଚିନ୍ତା ବଢ଼ିଯାଉଛି। ପଡ଼ୋଶୀ ଘରେ ଶୋଇବାକୁ ପଡ଼ୁଛି।
ପାଣୁ କହିଛନ୍ତି, ବାପା ବଞ୍ଚିଥିବା ବେଳେ ଖଣ୍ଡିଏ ଆବାସ ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ସମସ୍ତଙ୍କୁ କହି ଥକିଗଲେ। ଏଥିପାଇଁ ତାଙ୍କୁ ୧୫ ବର୍ଷ ସଂଘର୍ଷ କରିବାକୁ ପଡ଼ିଲା। ତାଙ୍କ ମୃତ୍ୟୁ ପରେ ମୁଁ ୬ ବର୍ଷ ହେଲା ପଞ୍ଚାୟତ ଏବଂ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ୁଛି। ଏହାମଧ୍ୟରେ କିଛିମାସ ତଳେ ବ୍ଲକ୍ର କିଛି କର୍ମଚାରୀ ଆସି କୁଡ଼ିଆର ଫଟୋ ଉଠାଇ ନେଇଥିଲେ। ଆବାସ ଯୋଜନାରେ ସାମିଲ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ମନରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମକୁ ବାଦ୍ ଦିଆଯାଇଛି। ଭାଗ୍ୟ ଓ କର୍ମକୁ ନିନ୍ଦିବା ଛଡ଼ା ମୋ’ ପାଖରେ ଆଉ କିଛି ଉପାୟ ନାହିଁ ବୋଲି ପାଣୁ କହିଛନ୍ତି। ତୃଣମୂଳସ୍ତରରେ ଆବାସ ଯୋଜନାକୁ କେମିତି କାର୍ଯ୍ୟକାରୀ କରାଯାଉଛି, ତାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଦୁଇମହଲା କୋଠାରେ ରହୁଥିବା ଲୋକଙ୍କୁ ହିତାଧିକାରୀ ସଜାଇ ଦିଆଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ଖଣ୍ଡିଏ ଆବାସ ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଛନ୍ତି।