କାହା ପାଇଁ ଆବାସ ଯୋଜନା? ଭଙ୍ଗା ଘରେ ବିତୁଛି ଜୀବନ, ମିଳୁନି ପକ୍କାଘର

ଜଗତସିଂହପୁର ଟାଉନ୍: ନଡ଼ା ଛପର ନୂଆଣିଆଁ ଘର। ଦରଭଙ୍ଗା ମାଟି କାନ୍ଥ। ବର୍ଷା ହେଲେ ପାଣି ଗଳୁଛି। ସେ ଘରେ ରହୁଛନ୍ତି ବାଲିକୁଦା ବ୍ଲକ୍ ଅପଣ୍ତରା ପଂଚାୟତ ଓଳାସ ଗାଁର ରତି ପରିଡ଼ା। ସ୍ବାମୀ ପ୍ରାୟ ୧୫ ବର୍ଷ ହେଲା ଆର ପାରିକୁ ଚାଲି ଯାଇଛନ୍ତି। ଜୀବନ ଯୁଦ୍ଧରେ ଏକା ଏକା ଲଢ଼ିଚାଲିଛନ୍ତି ରତି। ହେଲେ ତାଙ୍କ ପାଇଁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ହୋଇଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କୁ ପକ୍କାଘର ଦେଉଥିବା ନେଇ ବାହାସ୍ଫୋଟ ମାରୁଥିବା ବେଳେ ଏହା ହେଉଛି ଗ୍ରାଉଣ୍ତ ଜିରୋରେ ବାସ୍ତବ ଚିତ୍ର। ରତି ପରିଡ଼ାଙ୍କ ସ୍ବାମୀ ଧର୍ମାନନ୍ଦ ପରିଡ଼ା ରୋଗରେ ପ୍ରାଣ ହରାଇଛନ୍ତି। ପୁଅ ଓଡ଼ିଶା ବାହାରେ ଏକ କମ୍ପାନିରେ କାମ କରେ। ଜଣେ ଝିଅ ବିବାହ କରି ସାରିଛନ୍ତି। ସ୍ବାମୀଙ୍କ ଅନ୍ତେ ସେ ପର ଘରେ ମଜୁରି ଲାଗି ପରିବାର ପ୍ରତିପୋଷଣ କରନ୍ତି। ନିଜ ଉଦ୍ୟମରେ ଆଜି ପର୍ଯ୍ୟନ୍ତ ପରିବାର ଚଳାଇ ଆସୁଛନ୍ତି ରତି। ଅଭାବ ଅନଟନ ଭିତରେ ଝିଅ ବାହାଘର କରିବା କଷ୍ଟକର ହୋଇ ପଡ଼ିଥିଲା।

ଦୀର୍ଘ ଦିନରୁ ଚେଷ୍ଟା କରୁଥିଲେ ମଧ୍ୟ କୋଠାଘର ଟିଏ କରି ପାରୁନାହାନ୍ତି। ପ୍ରାୟ ଦଶ ବର୍ଷ ହେବ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ପକ୍କାଘର ମିଳି ନଥିବାରୁ ସେ କାନ୍ଦି ପକାଇଥିଲେ। ‘ମୁଁ ଭଙ୍ଗା କୁଡ଼ିଆରେ ପଡ଼ିଛି, ମୋତେ ସରକାର ଘର ଖଣ୍ଡେ ଦେଉ ନାହାନ୍ତି। ଗୋଟିଏ ଘରେ ଛେଳି, ଗାଈଗୋରୁଙ୍କୁ ଧରି ରହୁଛି। ଲଗାଣ ବର୍ଷାରେ ଗୋଟିଏ ପାଖ କାନ୍ଥ ପଡ଼ିଯାଇଛି। ବର୍ଷାରେ ଘର ସାରା ପାଣି ଗଳୁଛି। ଚୁଲିରେ ପାଣି ପଶି ଗଲା। ତିନିଦିନ ହେଲା ରୋଷେଇ କରି ପାରିନାହିଁ’। ଏନେଇ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ।

ସମ୍ବନ୍ଧିତ ଖବର