ଠିକାଦାର ଜାଲରେ ହିତାଧିକାରୀ, ଦୁଇ ବର୍ଷ ବିତିଗଲେ ବି ସଂପୂର୍ଣ୍ଣ ହୋଇପାରୁନି ଆବାସ ଗୃହ

ବୈପାରିଗୁଡା: ତିନି ମାସ ମଧ୍ୟରେ ଘର କାମ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ହିତାଧିକାରୀଙ୍କୁ ମଂଜୁର ହୋଇଥିବା ଆବାସ ଗୃହକୁ ହାତେଇ ନେବା ପରେ ଜନୈକ ଠିକାଦାର ଆଉ ଧରା ଛୁଆଁ ଦେଉନଥିବା ହିତାଧିକାରୀ ଅଭିଯୋଗ ଆଣିଛନ୍ତି। ଘଟଣା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ଶିରାଗୁଡା ଗ୍ରାମର ଶ୍ୟାମ ମାଠପାଡିଆ ଏବଂ ରୁକ୍ମଣୀ ମାଠପଡିଆଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିଲା। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହଠାତ୍ ଶ୍ୟାମଙ୍କର ମୃତ୍ୟୁ ହୋଇଯାଇଥିବାରୁ ଶ୍ୟାମଙ୍କ ସାନ ଭାଇ ଶୋଭା ମାଠପାଡିଆଙ୍କ ନାମରେ ଆବାସ ଗୃହ ମଞ୍ଜୁର କରାଗଲା। ଏହି ଅବସରରେ ଜନୈକ ଠିକାଦାର ଶୋଭା ଏବଂ ରୁକ୍ମଣୀଙ୍କ ନିକଟରେ ପହଞ୍ଚି ତିନି ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଦେବ ବୋଲି ପ୍ରତିଶ୍ରୁତି ଦେଲା। ପ୍ରକାଶ ଥାଉ କି, ତିନି ମାସ ମଧ୍ୟରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କଲେ ଅଧିକ କୋଡ଼ିଏ ହଜାର ଟଙ୍କା ସରକାରଙ୍କ ତରଫରୁ ପ୍ରତ୍ସୋହନ ରାଶି ରୂପେ ପ୍ରଦାନ କରାଯାଇଥାଏ।

ଶୋଭା ଏବଂ ରୁକ୍ମଣୀ ଠିକାଦାରଙ୍କ ପ୍ରସ୍ତାବରେ ରାଜି ହେବା ସହ ଘର ତିଆରି ଦାୟିତ୍ଵ ପ୍ରଦାନ କରିଥିଲେ। ପୁନଶ୍ଚ ଉଭୟ ପଡୋଶୀ ହୋଇଥିବା ହେତୁ ଉଭୟଙ୍କ ଘରକୁ ଏକାଠି ମିଶାଇ ତିଆରି କରିଦେବ ବୋଲି ପ୍ରସ୍ତାବ ଦେବାରୁ ଏଥିରେ ମଧ୍ୟ ସେମାନେ ରାଜି ହୋଇଯାଇଥିଲେ। ଏହା ଛଡ଼ା କାମ ଶିଘ୍ର ସାରିବା ପାଇଁ ଉଭୟ ପରିବାରର ଲୋକେ ନିଜେ ଶ୍ରମିକ ଭାବେ କାମ କଲେ ଏବଂ ସେଥିପାଇଁ କୈାଣସି ପାରିଶ୍ରମିକ ନେଲେ ନାହିଁ। ସେମାନଙ୍କ କେବଳ ଗୋଟିଏ ଲକ୍ଷ୍ୟ ଥିଲା ଯେ ଘର ତିନି ମାସ ମଧ୍ୟରେ ସଂପୂର୍ଣ୍ଣ ହୋଇଗଲେ ନୂଆ ଘରେ ରହିବେ। ତେବେ ଘର ତିଆରି ଆରମ୍ଭ ହେବା ସହ ପର୍ଯ୍ୟାୟ କ୍ରମେ ଠିକାଦାର ଜଣକ ଶୋଭା ଏବଂ ରୁକ୍ମଣୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ଘରର ଛାତ ପଡ଼ିବା ପାଇଁ ସେଣ୍ଟ୍ରିଙ୍ଗ ପାଇଁ ଆବଶ୍ୟକ ପଡୁଥିବା ଜିନିଷ ମଧ୍ୟ ନିଜେ ଯୋଗାଡ଼ କରିଥିଲେ। ସେଣ୍ଟ୍ରିଙ୍ଗ ପଡ଼ିବା ପରେ ଠିକାଦାରର ଆଉ ଦେଖା ମିଳିନଥିଲା। ଗତବର୍ଷ ବର୍ଷାରେ ସେଣ୍ଟ୍ରିଙ୍ଗ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

ରୁକ୍ମଣୀଙ୍କ କହିବା ଅନୁଯାୟୀ, ଘର ତିଆରି ହୋଇଯିବ ବୋଲି ଛୋଟ ଚାଳ କୁଡ଼ିଆଟେ ତିଆରି କରି ରହୁଥିଲେ। ଏବେ ସୁଦ୍ଧା ଘର ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଏବେ ବର୍ଷା ଦିନେ ଘର ସାରା ପାଣି କାଦୁଅ ଭର୍ତ୍ତି। ବାରମ୍ବାର ଦୈାଡିବା ପରେ ଦିନେ ବାଲି ଗୋଟିଏ ଗାଡ଼ି ଆଣି ପକାଇଦେଇଛି। ବାରମ୍ବାର ଦୈାଡି ଦୈାଡି ନିରାଶ ହୋଇ ସେମାନେ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଥିବା ଦୁଃଖର ସହ ପ୍ରକାଶ କରିଛନ୍ତି। ଏସଂପର୍କରେ ବୈପାରିଗୁଡା ବିଡ଼ିଓଙ୍କୁ ଭେଟି ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ହିତାଧିକାରୀଙ୍କ ତରଫରୁ କୈାଣସି ଅଭିଯୋଗ ମୋ ନିକଟରେ ପହଞ୍ଚି ନାହିଁ। ଯଦି ସେମାନେ ଅଭିଯୋଗ ଆଣନ୍ତି ଏବଂ ତଦନ୍ତ ପରେ ଯଦି ଏହା ସତ୍ୟ ହୋଇଥାଏ, ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର