ଖୋର୍ଦ୍ଧା: ଶାସକ ବିଜୁ ଜନତା ଦଳ ସମର୍ଥିତ ଅଭିଷେକ ସିଂହସାମନ୍ତ ନିଦ୍ୱର୍ନ୍ଦ୍ୱରେ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନ ଆପାତତଃ ଶେଷ ହୋଇଛି ଏହା ସହ ଖୋର୍ଦ୍ଧା ବିଜେଡିରେ ସଭାପତି ପଦବୀକୁ ନେଇ ଦୁଇ ବିଧାୟକଙ୍କ ମଧ୍ୟରେ ଟଣାଓଟରାର ମଧ୍ୟ ଅବସାନ ଘଟିଛି । ବିଜେଡି ସମର୍ଥନରେ ଜିତିଥିବା ୧୨ଜଣ ନିଦେ୍ର୍ଦଶକଙ୍କ ମଧ୍ୟରୁ ଅଭିଷେକ ସିଂହସାମନ୍ତ ସଭାପତି ପଦପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଥିଲେ । ଦିନ ଶେଷ ସୁଦ୍ଧା ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବାରୁ ଅଭିଷେକ ଆପାତତଃ ଏହି ପଦବୀ ଜିତିଛନ୍ତି, ଯଦିଓ ଏନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଘୋଷଣା କରାଯାଇନାହିଁ ।
ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରମିଳା ମଲ୍ଲିକ ଜିଲ୍ଲାର ଅନ୍ୟ ବିଧାୟକ ଓ ଦଳୀୟ କର୍ମକର୍ତାଙ୍କୁ ନେଇ ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଏକତ୍ରିତ ହୋଇଥିଲେ । ବୈଠକରେ ସେ ଦଳର ସଭାପତିଙ୍କ ନିଦେ୍ର୍ଦଶ କ୍ରମେ ଦଳ ପକ୍ଷରୁ ଅଭିଷେକ ଏକମାତ୍ର ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ଭାବେ କହିଥିଲେ । ଏଥିରେ ଅନ୍ୟ କେତେକ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ଏହାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ନଥିଲା । ଏହି ବୈଠକରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଦବ, ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ପର୍ଯ୍ୟବେକ୍ଷକ କୈଳାସ ପାତ୍ର, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ରୁଦ୍ରନାଥ ଦତ୍ତ ଓ ୧୨ଜଣ ନିର୍ବାଚିତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଶ୍ରୀମତି ମଲ୍ଲିକ ଏହି ଘୋଷଣା କରିବା ପରେ ଏକ ଶୋଭାଯାତ୍ରାରେ ଯାଇ ଅଭିଷେକ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ ।
ସୂଚନାଯୋଗ୍ୟ ୧୫ ନିଦେ୍ର୍ଦଶକ ବିଶିଷ୍ଟ ବ୍ୟାଙ୍କର ପରିଚାଳନା କମିଟିରେ ବିଜେଡି ପକ୍ଷରୁ ୧୫ଜଣ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଇଥିଲା । କିନ୍ତୁ ଖୋର୍ଦ୍ଧା ଓ ବେଗୁନିଆ ବିଧାୟକଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଅନ୍ତଦ୍ୱର୍ନ୍ଦ୍ୱ ଯୋଗୁଁ ୩ଟି ନିଦେ୍ର୍ଦଶକ ଆସନ ହରାଇଥିଲେ । ଏପରିକି କେତେକ ନିଦେ୍ର୍ଦଶକ ଆସନରେ ନିଜର ପ୍ରାର୍ଥୀ ଦେଇଥିବା ପ୍ରଶାନ୍ତ ଜଗଦ୍ଦେବ ଶେଷ ମୁହୂର୍ତରେ ଖୋର୍ଦ୍ଧା ବିଧାୟକଙ୍କୁ ସମର୍ଥନ ଦେଇ ନିଜର ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରାଇନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Khordha-central-cooperative-bank-election-2.jpeg)